ପାଲ ତଳେ ବୁଢୀ ମା ମାଳତି, ଘର ଖଣ୍ଡିଏ ଏବେ ସାତ ସପନ... ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

Published By : Prameya-News7 Bureau | March 07, 2021 IST

ଭଦ୍ରକ ୦୭।୦୩: ବୟସ ୭୦ ପାର ହେଲାଣି, ଚମ ଧୁଡୁ ଧୁଡୁ ହେଲାଣି । ନା ଠିକ ରେ ଦେଖିପାରୁଛନ୍ତି ନା ଠିକ ସେ ଶୁଣି ପାରୁଛନ୍ତି । ଏହି ବୟସରେ କେଇଖଣ୍ଡ ଛିଣ୍ଡା ଜରି ପାଲ ଢଙ୍କା ହୋଇଥିବା ଘର ଭିତରେ ରହୁଛନ୍ତି। ସେ ଗୋଟିଏ ବଖରା ଘର ଭିତରେ ସମସ୍ତ ଆସବାବପତ୍ର ରଖିବା ସହ ରୋଷେଇ କରୁଛନ୍ତି ଓ ଶୋଉଛନ୍ତି । ସରକାରୀ ଯୋଜନାରେ ଘର ଖଣ୍ଡିଏ ଆଶା ଯେମିତି ସାତ ସପନ ପାଲଟି ଯାଇଛି । ଏ  ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ପତ୍ରିସାହି ଗାଁର ବୃଦ୍ଧା ମାଳତିଙ୍କ ଦୁଃଖ କାହାଣୀ ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ପତ୍ରିସାହି ଗାଁର ୭୦  ବର୍ଷୀୟା ବିଧବା ବୃଦ୍ଧା ମାଳତି ବାରିକ। ଏବେ ତାଙ୍କୁ ଭାଗ୍ୟ ହିଁ ଭରଷା । ପ୍ରାୟ ୧୫ ବର୍ଷ ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ପରେ ତିନି ପୁଅ ଓ ବୋହୁଙ୍କୁ ନେଇ ସଂସାର । ଗୋଟିଏ ପୁଅ ଗାଁରେ ରହି କାମ ପାଇଟି କରି ଗୁଜୁରାଣ  ମେଣ୍ଟାଉ ଥିବା ବେଳେ ଅନ୍ୟ ଦୁଇ ପୁଅ ରାଜ୍ୟ ବାହାରେ ଦାଦନ ଶ୍ରମିକ । ଗୋଟିଏ ବଖରା ପୁରୁଣା ଘର ଭିତରେ ଗାଈ ଗୁହାଳ ଓ ଅନ୍ୟ ଅଧାକରେ ରହୁଛନ୍ତି ପୁଅ ବୋହୁ ।

{"id":419121,"sizeSlug":"large","linkDestination":"none"}

ନିଜେ ମାଳତି ଏହି ବୟସରେ ସେହି ପୁରୁଣା ଘର ସାମନାରେ ଜରି ପାଲ ଟାଙ୍ଗୀ ଛୋଟ ଝୁମ୍ପୁଡିଟିଏ କରି ରହୁଛନ୍ତି । ସେହି ଝୁମ୍ପୁଡି ଭିତରେ ଘରର ଭଙ୍ଗା ଦଦରା ଆସବାବପତ୍ର ରଖିଛନ୍ତି । ସେଠି ଚୁଲିରେ ରୋଷେଇ କରୁଛନ୍ତି ଓ ସେଇଠି ଶୋଉଛନ୍ତି । ବର୍ଷକ ୧୨ ମାସ ସେହି ଝୁମ୍ପୁଡି ଘର ହିଁ  ଭରଷା । ତେବେ ଘର ଟିଏ ପାଇଁ ଏକାଧିକ ଥର ଅନୁରୋଧ କଲେଣି । କିନ୍ତୁ ଯେମିତି ପରିଣତ ବୟସର ବୁଢୀ ମା ମାଳତିର ଅକୁଳ ଅନୁରୋଧ ଓ ବିନତି କାହା କାନ କୁ ଶୁଭୁ ନାହିଁ। ପୁଅ ବୋହୂଙ୍କର ମଧ୍ୟ ସମାନ ଉତ୍ତର ଆମେ ବହୁ ଚେଷ୍ଟା କରୁଛୁ ଘର ଟିଏ କରିବା ପାଇଁ କିନ୍ତୁ ରୋଜଗାର ଟଙ୍କାରେ ଯେତେବେଳେ ପେଟ ଖଣ୍ଡିଏ ପୁରୁନାହିଁ, ଘର ପାଇଁ ସମ୍ବଳ ଆସିବ କେଉଁଠୁ ।

{"id":419120,"sizeSlug":"large","linkDestination":"none"}

ତେବେ ମାଳତିଙ୍କ ଦୁଃଖକୁ ଲାଘବ ପାଇଁ ସ୍ଥାନୀୟ ବାସିନ୍ଦା ମଧ୍ୟ ଅଣ୍ଟା ଭିଡିଛନ୍ତି । ନିଜେ ସରକାରୀ ଦପ୍ତର ଓ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି । ଟ୍ବିଟ୍ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ଉପରିସ୍ଥ ଅଧିକାରୀଙ୍କୁ ମାଳତିଙ୍କ ଦୁଃଖ ବିଷୟରେ ସୂଚନା ଦେଇଛନ୍ତି। କିନ୍ତୁ ସବୁ ଚେଷ୍ଟା ଯେମିତି ପାଣିରେ ପଡୁଛି ।  ତେବେ ମାଳତିଙ୍କ ନାମ ୨୦୧୧ ମସିହା ଜନ ଗଣନା ବେଳେ ଏସସିସି ରିପୋର୍ଟରୁ ବାଦ ପଡିଥିବା ସୂଚନା ମିଳିଛି । କେବଳ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ ଟଙ୍କା ମାସକୁ ମାସ ମିଳୁଛି ।

{"id":419119,"sizeSlug":"large","linkDestination":"none"}

ତେବେ ଏହି ଘଟଣା ବିଷୟରେ ଧାମନଗର ଗୋଷ୍ଠୀ ଉନ୍ନୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ। ସେ ନିଜେ ମାଳତିଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି । କିନ୍ତୁ ମାଳତିଙ୍କର ଗୋଟିଏ ପୁଅ ସରକାରୀ ଯୋଜନାରେ ଘର ପାଇଁ ଟଙ୍କା ନେଇଥିଲେ , ଘର କାର୍ଯ୍ୟ ସଂପୂର୍ଣ୍ଣ କରିନଥିବାରୁ ଏମିତି ପରିସ୍ଥିତି ଉପୁଜିଥିବା କହିଛନ୍ତି ବିଡିଓ।  ଏବେ ପୁନଃ ସରକାରୀସ୍ତରରେ ମାଳତିଙ୍କୁ ସରକାରୀ ଯୋଜନାରେ କେମିତି ଘର ଖଣ୍ଡିଏ  ଦିଆଯିବ ସେ ନେଇ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.