୩୦ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଦାଦନ ଶ୍ରମିକ
8/01/2021 at 3:31 PM

ମହାକାଳପଡା ୮।୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କୁମ୍ଭାରପଡା ଗ୍ରାମର ଶ୍ରୀକାନ୍ତ ଖଟୁଆ ଓରଫ (ବାବୁଲି) ୧୮ ବର୍ଷ ବୟସରେ ପଂଜାବକୁ ନିଜ ସମ୍ପର୍କୀୟଙ୍କ ସହିତ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ନିଖୋଜ ହୋଇଯାଇଥିଲେ । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ ମାତ୍ର ବାବୁଲିର କୌଣସି ସନ୍ଧାନ ମିଳିନଥିଲା ।

ନିଖୋଜ ହେବାର ଦୀର୍ଘ ୩୦ ବର୍ଷ ପରେ ବାବୁଲି ଖଟୁଆର ସନ୍ଧାନ ମିଳିଥିଲା ମହାରାଷ୍ଟ୍ରର ନନ୍ଦଗ୍ରାମର ଏକ ସାଇ ମନ୍ଦିର ନିକଟରେ । ସାଇ ମନ୍ଦିରକୁ ଯାଇଥିବା ଓଡିଆ ବ୍ୟକ୍ତି ବାବୁଲିକୁ ଦେଖିଥିଲେ । ଓଡିଆ କଥାବାର୍ତ୍ତା ହେଉଥିବା ବେଳେ ବାବୁଲି ତାଙ୍କ ନିକଟକୁ ଆସିଥିଲେ । ବାବୁଲି ଓଡିଶାର ଲୋକ ଜାଣି ପାରି ତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ବାବୁଲି ଠାରୁ ଘର ଠିକଣା ସଂଗ୍ରହ କରିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧି ମାଧ୍ୟମରେ ତାଙ୍କ ପରିବାରକୁ ଜଣାଇଥିଲେ ।

ସନ୍ଧାନ ମିଳିଲା ପରେ ବାବୁଲିଙ୍କ ପରିବାର ଓ ଗ୍ରାମବାସୀ ମହାରାଷ୍ଟ୍ର ନନ୍ଦଗ୍ରାମକୁ ଯାଇ ବାବୁଲିକୁ ଉଦ୍ଧାର କରି ଘରକୁ ଆଣିଥିଲେ । ଦୀର୍ଘ ୩୦ବର୍ଷ ପରେ ନିଖୋଜ ବାବୁଲିକୁ ଗାଁକୁ ପହଞ୍ଚିଲା ପରେ ସମସ୍ତ ମନରେ ଖୁସିର ଲହରି ଖେଳି ଯାଇଥିଲା । ବାବୁଲିର ଖାଦ୍ୟପେୟ ଅଭାବରୁ ସ୍ବାସ୍ଥ୍ୟ ଭଲ ନଥିବା ଜଣାପଡିଛି । ମାନସିକ ଅବସ୍ଥା ଭଲ ନାହିଁ । ତେଣୁ ସରକାରଙ୍କ ତରଫରୁ ଚିକିତ୍ସା ଯୋଗାଇ ଦେବାକୁ ଦାବି ହୋଇଛି ।