ଅସହାୟ ବୃଦ୍ଧ: ରୋଗୀଣା ସ୍ତ୍ରୀକୁ କାନ୍ଧରେ ଟେକି ୪ କିମି ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ୭୦ ବର୍ଷୀୟ ସ୍ୱାମୀ, ହେଲେ ବଞ୍ଚାଇ ପାରିଲେନି ଜୀବନ

Published By : Prameya-News7 Bureau | September 09, 2021 IST

ନନ୍ଦୁରବାର ୦୯/୦୯ : ମହାରାଷ୍ଟ୍ର ନନ୍ଦୁରବାର ଜିଲ୍ଲା ଚାନ୍ଦସୈଲୀ ଘାଟ ଗାଁରୁ ବୁଧବାର ଦିନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅବରୋଧ ହୋଇଥିବା ରାସ୍ତା ଯୋଗୁଁ ଜଣେ ବୟସ୍କ ବ୍ୟକ୍ତି ନିଜ ପତ୍ନୀଙ୍କୁ କାନ୍ଧରେ ଟେକି ଚାଲି ଚାଲି ହସ୍ପିଟାଲ ନେବାକୁ ପଡିଥିଲା। ସେ ୪ କିଲୋମିଟର ଚାଲି ଚାଲି ଗଲେ। କିନ୍ତୁ ରାସ୍ତାରେ ହିଁ ପତ୍ନୀଙ୍କ ଜୀବନ ଚାଲିଗଲା। ଚାନ୍ଦସୈଲୀ ଘାଟରେ ମଙ୍ଗଳବାର ଦିନ ଭୂସ୍ଖଳନ ହୋଇଥିଲା। ଏହାପରେ ମୁଖ୍ୟ ମାର୍ଗ ବିଚ୍ଛିନ୍ନ ହୋଇଯାଇଥିଲା।

କୁହାଯାଉଛି ଯେ ୭୦ ବର୍ଷୀୟ ଅଦଲ୍ୟା ପାଡବିଙ୍କ ୬୫ ବର୍ଷୀୟ ପତ୍ନୀ ସିଦଲିବାଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଗାଁକୁ କୌଣସି ଗାଡି ଆସିବା ପାଇଁ ସୁବିଧା ନଥିଲା। ପତ୍ନୀଙ୍କ ଅବସ୍ଥା ଲଗାତାର ଖରାପ ହେଉଥିଲା। ଆଉ କିଛି ବାଟ ନ ପାଇ ଅଦଲ୍ୟା ପତ୍ନୀଙ୍କୁ କାନ୍ଧରେ ଟେକି ହସ୍ପିଟାଲ ନେଇଯିବାକୁ ମନସ୍ତ କଲେ। ପତ୍ନୀକୁ କାନ୍ଧରେ ଟେକି ସେ ପ୍ରାୟ ୪ କିଲୋମିଟର ଚାଲିଲେ। ବୁଢା ବୟସରେ ଓଜନ ଟେକି ଚାଲିବା ବହୁତ କଷ୍ଟ ହେଉଥିଲା। ହାଡ ଗୋଡ ବିନ୍ଧି ଯାଉଥାଏ। କିନ୍ତୁ ସେ ହାର ମାନିନଥିଲେ। ରାସ୍ତାରେ ଅନେକ ଥର ପତ୍ନୀକୁ ବସାଇବାକୁ ଓ ଶୁଆଇବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଏତେ ଚେଷ୍ଟା ବିଫଳ ହୋଇଗଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କ ପତ୍ନୀଙ୍କୁ ମୃତ ଘୋଷିତ କରିଥିଲେ। ଡାକ୍ତର କହିଛନ୍ତି ଯେ ଭୀଷଣ ଜ୍ୱର ଯୋଗୁଁ ରାସ୍ତାରେ ହିଁ ମହିଳାଙ୍କ ଜୀବନ ଚାଲିଯାଇଥିଲା।

{"id":508994,"sizeSlug":"full","linkDestination":"none"}

ଏହି ଘଟଣା ଯୋଗୁଁ ଚାନ୍ଦସୈଲୀର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ମାମଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିବାସୀ ବିକାଶ ମନ୍ତ୍ରୀ କେ.ସି ପାଦଭି ମଧ୍ୟ ଏହି ଅଞ୍ଚଳର। ଏହି ଅଞ୍ଚଳରେ କୌଣସି ରାସ୍ତା ନାହିଁ। ଭୂସ୍ଖଳନ ହେତୁ ପ୍ରାୟ ପ୍ରତିବର୍ଷ ଚାନ୍ଦସୈଲୀ ଘାଟ ବନ୍ଦ ହୋଇଯାଏ ଏବଂ ହଜାର ହଜାର ଆଦିବାସୀ ନିଜ ଗାଁରେ ଅନେକ ଦିନ ଯାଏଁ କଏଦ ହୋଇଯାନ୍ତି। ଗାଁରେ କୌଣସି ସ୍ୱାସ୍ଥ୍ୟ ସୁବିଧା ନାହିଁ। ସେଥିପାଇଁ ଲୋକଙ୍କୁ ଚିକିତ୍ସା ପାଇଁ ନନ୍ଦୁରବାର, ତଲୌଦା, ଧଡଗାଓଁ ଯିବାକୁ ପଡେ।

{"id":508995,"sizeSlug":"full","linkDestination":"none"}

ଧଡଗାଓଁରେ ୧୩୨ କେଭି ସବ୍ ଷ୍ଟେସନ୍ ପାଇଁ ଏକ ଟାୱାର ନିର୍ମାଣ କରାଯାଉଛି। ନିର୍ମାଣ ପୂର୍ବରୁ ପଥର ଭାଙ୍ଗିବା ପାଇଁ ବିସ୍ଫୋରକ ବ୍ୟବହାର କରାଯାଉଛି। ଏହି କାରଣରୁ ଏଠାରେ ଥିବା ପର୍ବତଗୁଡିକ ଦୁର୍ବଳ ହୋଇଯାଉଛି ଓ ହାଲୁକା ବର୍ଷାରେ ଭୁଶୁଡି ଯାଉଛି।

ନିୟମ ଅନୁଯାୟୀ, ରାସ୍ତା କଡ଼ରେ ଥିବା ପାହାଡଗୁଡିକ ବିସ୍ଫୋରଣ ପୂର୍ବରୁ ଲୁହା ଜାଲରେ ଆଚ୍ଛାଦିତ କରାଯିବା ଉଚିତ୍। ତେବେ ଠିକାଦାର ଏଭଳି ସତର୍କତା ଅବଲମ୍ବନ କରୁନାହାଁନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.