Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସହାୟ ବୃଦ୍ଧଙ୍କ ଦୁଃଖ-ଯନ୍ତ୍ରଣା : ଜଳବନ୍ଦୀରେ ଜୀବନ

19/08/2020 at 1:13 PM

ଯାଜପୁର ୧୯।୦୮: ପାଣି ଭିତରେ ଦିନ ରାତି କାଟୁଛନ୍ତି ଜଣେ ବୃଦ୍ଧ । ଯାଜପୁର ବ୍ଲକ ଭୂଇଁପୁର ପଞ୍ଚାୟତ ହରିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୟନୀୟ ଅବସ୍ଥା । ସରକାରଙ୍କ ପକ୍ଷରୁ ଅସହାୟଙ୍କ ପାଇଁ ମାଳମାଳ ଯୋଜନା କରାଯାଇଛି । କିନ୍ତୁ କିଏ କେଉଁଠି ପାଉଛି, ତ କିଏ କେଉଁଠି ଏପରି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛି । ଗୋଟିଏ ପଟେ ବିଭିନ୍ନ ଯୋଜନା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ୟ ପଟେ ଜୀବନ କଟୁଛି ପାଣିରେ , ତାହା ପୁଣି ଜଣେ ବୃଦ୍ଧଙ୍କ ।

ସୂଚନାଯୋଗ୍ୟ ଯେ, ଯାଜପୁର ବ୍ଲକ ଭୂଇଁପୁର ପଞ୍ଚାୟତ ହରିପୁର ଗାଁର ବୟସ୍କ ବ୍ୟକ୍ତି ତାରିଣୀ ପ୍ରଧାନ, ଯିଏକି ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ଦୀର୍ଘ ଦିନରୁ ସରକାରୀ ଜାଗାରେ ଘର କରି ମୁଣ୍ଡ ଗୁଞ୍ଜୁଥିବା ତାରିଣୀଙ୍କୁ ଏବେ ସ୍ଥାନାନ୍ତରିତ କରାଯାଇଛି। ଗାଁର ଉନ୍ନତି କାର୍ଯ୍ୟ କରିବା ପାଇଁ ସରପଞ୍ଚ ଗୋଚର ଜମିରେ ମାଟି ପକାଇ ୬ ଲକ୍ଷ ଟଙ୍କା ବ୍ୟୟରେ ଏକ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏପରିକି ଗାଁର ପ୍ରସିଦ୍ଧ କତରାପୁର କାଳୀ ମନ୍ଦିରକୁ ଉଧିଷ୍ଟ ଥିବା କଂକ୍ରିଟ ରାସ୍ତା ଉପରେ ମାଟି ପକାଯାଇଛି । ଫଳରେ ଜଳ ନିଷ୍କାସନ ହେଉ ନଥିବା ବେଳେ ରାସ୍ତାର ଅପରପାର୍ଶ୍ଵରେ ଘର କରି ରହିଥିବା ତାରିଣୀ ଏବେ ଜଳବନ୍ଦୀରେ ରହୁଛନ୍ତି।

ତାରିଣୀଙ୍କ ଘର ଚାରି ପାଖେ ଜମି ରହିଛି ବର୍ଷା ଜଳ । ଗୋଟିଏ ପଟେ ବର୍ଷା ଲାଗି ରହିଥିବାରୁ, ଅନ୍ୟପଟେ ବୃଦ୍ଧଙ୍କ ଘରଟି ଭାଙ୍ଗି ମାଟିରେ ମିଶିଯାଇଛି । ତାଙ୍କର ଏହି ଦୁଃଖ କାହାଣୀ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ , ଏନେଇ କେହିବି  କର୍ଣ୍ଣପାତ କରୁନଥିବା ବୃଦ୍ଧ ଜଣକ ଅଭିଯୋଗ କରିଛନ୍ତି । ତେବେ ଅସହାୟ ବୃଦ୍ଧଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବୃଦ୍ଧଙ୍କ ସମସ୍ୟା ସଂପର୍କରେ ସ୍ଥାନୀୟ ସମିତିସଭ୍ୟା ବାରମ୍ବାର ଯାଜପୁର ବିଡିଓଙ୍କୁ ଅଭିଯୋଗ କରିଥିଲେ ଏହି ଘଟଣାକୁ  କର୍ଣ୍ଣାପାତ କରୁ ନଥିବା ଅଭିଯୋଗ ହେଉଛି।

ବର୍ଷା ଯୋଗୁ ଘର ଚାରିପାଖେ ପାଣି ଜମି ରହିବାକୁ ଘର କାନ୍ଥ ଭୁଷୁଡି ପଡିଛି । ଶୋଇବାକୁ କି ଖାଇବାକୁ ଜାଗାଟିଏ ନାହିଁ । ପଥର ଟିଏ ପାଲଟିଛି ରୋଷେଇ ଘର। ଏହାରି ଉପରେ ଇଟା ରଖି ତାରିଣୀ ପ୍ରଧାନ ରୋଷେଇ କରୁଛନ୍ତି । ଜୀବନକୁ ବାଜି ଲଗାଇ ପାଣି ଘେରରେ ରାତି କାଟୁଛନ୍ତି ବୃଦ୍ଧ ଜଣକ। ଘରକୁ ଯିବାକୁ ହେଲେ ପାଣିରେ ପଶି ଯିବାକୁ ପଡୁଛି । ନିର୍ମାଣ କାର୍ଯ୍ୟ ଯୋଗୁ ପାଣି ନିଷ୍କାସନ ବାଟକୁ ମାଟି ପକାଇ ବନ୍ଦ କରାଯାଇଥିବାରୁ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଘର ପାଖରେ ଜମି ରହୁଛି । ରାତି ହେଲେ ସରୀସୃପ ଭୟରେ କିଛି ଦିନ ହେବ ସ୍ଥାନୀୟ ସ୍କୁଲ ଘରେ ରାତି କାଟୁଛନ୍ତି । ତେବେ ଏନେଇ ସ୍ଥାନୀୟ ପ୍ରଶାସନ ସହିତ  ଯାଜପୁର ବିଡିଓ ସୌରଭ ଚକ୍ର ବର୍ତ୍ତୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନର ଉତ୍ତର ଦେଇନାହାନ୍ତି।

   Related Posts