ଚିକିତ୍ସା ପାଇଁ ବୁଲିଲେ ଗୋଟିଏ ପରେ ଗୋଟିଏ ହସ୍ପିଟାଲ, ଶେଷରେ ସ୍କୁଟିରେ ପ୍ରାଣ ହରାଇଲେ ବୃଦ୍ଧ

Published By : Prameya-News7 Bureau | April 15, 2020 IST

ଇନ୍ଦୋର ୧୫|୦୪:  ଦେଶରେ ଏବେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଏହା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ବୁଲିଥିଲେ ମଧ୍ୟ ଚିକିତ୍ସା ହୋଇପାରି ନଥିଲା । ଫଳରେ ସେ ସ୍କୁଟିରେ ହିଁ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, କରୋନା ମହାମାରୀ ପାଇଁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭିନ୍ନ ଭିନ୍ନ ରୋଗର ଚିକିତ୍ସା କରାଯାଉଛି । ଫଳରେ ଜଣେ ଆକ୍ରାନ୍ତଙ୍କୁ ତାଙ୍କ ପରିବାର ଲୋକେ ଅନେକ ହସ୍ପିଟାଲକୁ ନେଇଥିଲେ । କିନ୍ତୁ କେଉଁଠାରେ ମଧ୍ୟ ତାଙ୍କର ଚିକିତ୍ସା ହୋଇପାରି ନଥିଲା । ଶେଷରେ ଆକ୍ରାନ୍ତଜଣଙ୍କ ନିଜ ପରିବାର ଲୋକଙ୍କ ସାମ୍ନାରେ ଏକ ଆକ୍ଟିଭା ସ୍କୁଟିରେ ହିଁ ପ୍ରାଣ ତ୍ୟାଗ କରିଥିଲେ ।

କରୋନା ସନ୍ଦିଗ୍ଧ ପାଣ୍ଡୁ ରାଓ ଇନ୍ଦୋରର ଅହଲ୍ୟା ପଲଟନରେ ରୁହନ୍ତି । ଗତ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଏମଆଇ ହସ୍ପିଟାଲରେ ତାଙ୍କର ପରୀକ୍ଷା କରାଯାଇ ଘରକୁ ପଠାଯାଇଥିଲା । ମଙ୍ଗଳବାର ସକାଳେ ହଠାତ ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ । ତେଣୁ ପରିବାର ଲୋକେ ତାଙ୍କୁ କ୍ଲଥ୍ ମାର୍କେଟ୍ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ଚିକିତ୍ସା ହୋଇନଥିଲା । ଏହାପରେ ଏମଓ୍ୱାଇ ମେଡିକାଲ ନେବା ରାସ୍ତାରେ ସେ ପ୍ରାଣ ହରାଇଥିଲେ ।

ମୃତକଙ୍କ ପୁଅ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏକ ଘର କାମ କରୁଥିବାରୁ ପିତାଙ୍କ ନାକରେ ସିମେଣ୍ଟ ପଶିଯାଇଥିଲା ।ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ତେଣୁ ସେ ମଙ୍ଗଳବାର ପିତାଙ୍କୁ ସ୍କୁଟିରେ ହସ୍ପିଟାଲ ଯାଇଥିଲେ । ଠିକ ସମୟରେ ଚିକିତ୍ସା ନମିଳିବାରୁ ସେ ପ୍ରାଣତ୍ୟାଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.