ଗୋଟେ ପଟେ କ୍ୟାନ୍ସର ଓ ଅନ୍ୟପଟେ କରୋନା: ବୃଦ୍ଧ ଦମ୍ପତି ସାଜିଲେ ଅନ୍ୟମାନଙ୍କ ପାଇଁ ଉଦାହରଣ

Published By : Prameya-News7 Bureau | July 31, 2020 IST

ଯାଜପୁର୩୧/୭: କୁହାଯାଏ ଜୀବନସାଥୀ ସେ ସାତ ଜନ୍ମର । ସଂମ୍ପର୍କ ଜନ୍ମ ଜନ୍ମର । ୭ ଦୀପ ୧୩ କଳସକୁ ସାକ୍ଷୀ ରଖି ନିଜ ଜୀବନସାଥୀକୁ ସବୁଦିନ ନିଜର କରିଥାନ୍ତି ଉଭୟ ପତି ପତ୍ନୀ । ଆଜିର ବସ୍ତୁବାଦି ଯୁଗରେ ଏମିତି ସଂପର୍କ କ୍ୱଚିତ ଦେଖିବାକୁ ମିଳୁଥିବା ବେଳେ ଯାଜପୁର ସୁକିନ୍ଦା ହରିପୁର ଅଂଚଳରେ ଏମିତି ଏକ ବୃଦ୍ଧ ଦମ୍ପତିଙ୍କ ଭଲ ପାଇବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପତ୍ନୀଙ୍କୁ ମୁଖ କର୍କଟ ରୋଗ ହେବା ପରେ ତାଙ୍କୁ ଚିକିତ୍ସା କରି ଭଲ କରିବାକୁ ଦିନ ରାତି ଏକ କରି ଦେଇଥିଲେ ସ୍ୱାମୀ । ହେଲେ ଚିକିତ୍ସା ଚାଲୁଥିବା ସମୟରେ ମହାମାରୀ କରୋନା ଦାଉ ସାଜିଲା । କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଡାକ୍ତରଖାନାରୁ କୋରୋନା ସଂକ୍ରମିତ ହୋଇ ଆସିବା ପରେ ପୁଅ ବୋହୁ ମୁହଁ ମୋଡି ଚାଲିଗଲା । କିନ୍ତୁ ପତ୍ନୀଙ୍କୁ ସୁସ୍ଥ କରିବା ପାଇଁ ପଣ କରିଥିବା ସ୍ୱାମୀ ଦିନରାତି ଏକ କରିଦେଇଛନ୍ତି । କରୋନାକୁ ଖାତିର ନକରି ପତ୍ନୀଙ୍କ ସେବା କରିଚାଲିଛନ୍ତି । ନୁଆଁଣିଆ ଚାଳ ଘର ବାରଣ୍ଡେରେ ଏହି ଦମ୍ପତିଙ୍କ ପବିତ୍ର ସଂପର୍କକୁ ଯିଏ ଦେଖୁଛି ସିଏ କହୁଛି ଏଇ ବୋଧେ ପ୍ରେମ ।

 ଏ ସଂପର୍କ ଏମିତି ସେମିତି ସଂପର୍କ ନୁହେଁ, ଏ ସଂପର୍କ ଯୁଗ ଯୁଗର । ସବୁ ପରିସ୍ଥିତିରେ ଜଣଙ୍କର ଅସୁବିଧା ସମୟରେ ଅନ୍ୟ ଜଣେ ସାହାଯ୍ୟ ର ହାତ ବଢ଼ାଇବାକୁ ବୋଧେ ଦାମ୍ପତ୍ୟ ଜୀବନ କୁହାଯାଏ । ଯାହାକୁ ଅକ୍ଷରେ ଅକ୍ଷରେ ବୁଝିଛନ୍ତି ସୁକିନ୍ଦା ହରିପୁର ଗୋପାଳ ସାହିର କୈଳାସ ପ୍ରଧାନ । ନିଜର ବୃଦ୍ଧା ପତ୍ନୀ ଆଜକୁ ଦୀର୍ଘଦିନ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ଆଚର୍ଯ୍ୟ ହରିହର କର୍କଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ କୈଳାସ ସବୁପ୍ରକାର ସେବା ସୁଶୁଷା କରିଆସୁଥିଲେ ।

ହେଲେ ଏହି ଡାକ୍ତରଖାନାରେ କରୋନା ସଂକ୍ରମଣ ବ୍ୟାପିବା ପରେ କୈଳାସଙ୍କ ବୃଦ୍ଧା ପତ୍ନୀ ଗୋଲି ପ୍ରଧାନ ମଧ୍ୟ କରୋନାରେ ସଂକ୍ରମିତ ହେଲେ । ପରେ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଗୋଲି ଙ୍କୁ ୧୪ ଦିନ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ଗୋଲି ସ୍ୱାମୀ କୈଳାସଙ୍କ ଆଶ୍ରା ବିନା ମୁହୁର୍ତେ ଚଳିବା ବି ଅସମ୍ଭବ । ଯେତେବେଳେ ନିଜର ଜୀବନର ସୁରକ୍ଷା ପାଇଁ ମଣିଷ ରକ୍ତ ସଂପର୍କକୁ ତୁଛ କରି ଛୁଇଁବାକୁ କୁଣ୍ଠାବୋଧ କରୁଛି ସେତେବେଳେ ଗୋଲିର ହାତ ଛାଡି ନଥିଲେ କୈଳାସ । କିନ୍ତୁ କୈଳାସଙ୍କ ବଡପୁଅ ଓ ବୋହୁ ମାର ଏଭଳି ପରିସ୍ଥିତିରେ ମୁହଁ ମାଡି ବାଟ ଭାଂଗି ଚାଲିଯାଇଥିଲେ । ତଥାପି କୈଳାସ ଗୋଲିଙ୍କୁ ଏକୁଟିଆ କରି ଛାଡି ଦେଇନଥିଲେ । ଜାରି ରଖିଥିଲେ ଗୋଲିଙ୍କ ସେବା ସୁଶୃଶା ।

ଗୋଟିଏ ପଟେ କ୍ୟାନ୍ସର ଓ ଅନ୍ୟପଟେ କୋରୋନା । ଉଭୟ ରୋଗରେ ପିଡିତ ଗୋଲି ଙ୍କ ସାହାରା ପାଲଟିଛନ୍ତି କୈଳାସ । ଏଭଳି ଏକ ପରିସ୍ଥିତିରେ ପୁଅ ବୋହୁ ମାନେ ଗୋଲିଙ୍କ ଚିକିତ୍ସା ପାଇଁ ଆସିନଥିଲେ । ପରିସ୍ଥିତି ଏମିତି ଥିଲା ଯେ, ଗୋଲି ଏକାକି ଗୋଟିଏ ପାଦ ଆଗକୁ ଚାଲିବା ବି ମୁସ୍କିଲ । ସେ ଶଯ୍ୟାରୁ ଉଠିବାଠୁ ଶୋଇବା ପର୍ଯ୍ୟନ୍ତ ସବୁବେଳେ ସ୍ୱାମୀଙ୍କ ସାହାର ଲୋଡୁଥିଲେ । ତେବେ କଟକ ଆଚର୍ଯ୍ୟ ହରିହର କର୍କଟ ଡାକ୍ତରଖାନା ଠରେୁ ଆରମ୍ଭ କରି ଗାଁ କୁ ଫେରିବା ପର୍ଯ୍ୟନ୍ତ ପତ୍ନୀଙ୍କ ପାଖେ ପଖେ ରହି ତାଙ୍କର ସବୁ ସେବା କରିଆସୁଥିବା ବୃଦ୍ଧ କୈଳାସଙ୍କୁ କିନ୍ତୁ କରୋନା ଛୁଇଁ ପାରିନଥିଲା । ସତେ ଯେମିତି ତାଙ୍କ ନିଃସ୍ୱାର୍ଥପର ସେବା ଓ ତ୍ୟାଗ ନିକଟରେ କରୋନା ମହାମାରୀ ମଥା ନଇଁଥିଲା । ତେବେ ବର୍ତମାନ ଏହି ନୁଆଁଣିଆ ଚାଳ ଘରେ ଉଭୟଙ୍କ ଦିନ କଟୁଛି । ଗୋଲିଙ୍କ ସଂପୁର୍ଣ୍ଣ ଦେଖାଶୁଣା କରୁଛନ୍ତି କୈଳାସ । ଉଭୟଙ୍କ ଭଲ ପାଇବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କୋରୋନା ଓ କ୍ୟାନସର ଭଳି ମାରାତ୍ମକ ରୋଗ ସମଗ୍ର ବିଶ୍ୱକୁ ପ୍ରଭାବିତ କରିପାରିଛି ସତ କିନ୍ତୁ କୈଳାସ ଓ ଗୋଲିଙ୍କ ଭଲ ପାଇବା ଉପରେ କୌଣସି ପ୍ରଭାବ ପକାଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.