ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25/01/2021 at 11:03 PM

ଓଳାଶୁଣୀ ୨୫|୧: କୋଭିଡ କଟକଣା ପାଇଁ ଏବର୍ଷ ହେବନି ଓଡିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ଯାତ୍ରା। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ପଲାଇ ଗ୍ରାମସ୍ଥିତ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଓଳାଶୁଣୀ ଗୁମ୍ଫାର ଗଣେଶ ମଣ୍ଡପ ଠାରେ ଆୟୋଜିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଏହା ଘୋଷଣା କରିଛନ୍ତି ଯାଜପୁର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ।
ପ୍ରତିବର୍ଷ ମାଘ କୃଷ୍ଣ ଏକାଦଶୀ ତିଥିରେ ସନ୍ଥ ସାଧକ ଅରକ୍ଷିତ ଦାସଙ୍କ ପବିତ୍ର ମହାପ୍ରୟାଣ ତିଥିରୁ ସପ୍ତାହ ଧରି ଓଡିଶା ପ୍ରସିଦ୍ଧ ଏହି ଓଳାଶୁଣୀ ଗୁମ୍ଫା ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଏଠାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କର ସମାଗମ ଏହି ମେଳାରେ ହୋଇଥାଏ। କୋଭିଡର ପ୍ରକୋପ କମିଥିଲେ ମଧ୍ୟ ଲୋକଙ୍କର ବୃହତ୍ତର ସ୍ବାସ୍ଥ୍ୟ ସେବାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଉପ ଜିଲ୍ଲାପାଳ କହିଥିଲେ।
ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ସନ୍ଥ ଅରକ୍ଷିତ ଫାଉଣ୍ଡେସନ ପକ୍ଷରୁ ଏ ଅବସରରେ ଯାଜପୁରର ବିଦାୟୀ ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଉତ୍ତରୀୟଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଯୋଗଦେବା ପୂର୍ବରୁ ଉପଜିଲ୍ଲାପାଳ ମହାପୁରୁଷ ଅରକ୍ଷିତ ଦାସଙ୍କ ପବିତ୍ର ସମାଧି ମନ୍ଦିର ଓ ଅନନ୍ତ ଗୁମ୍ଫା ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ। ଶେଷରେ ଦର୍ପଣ ତହସିଲଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।