ଓଲା କର୍ମଚାରୀଙ୍କ ପାଇଁ ଖରାପ ଖବର : ୧୪୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କଲା କମ୍ପାନୀ
20/05/2020 at 4:45 PM

ନୂଆଦିଲ୍ଲୀ ୨୦/୦୫ : ବିଶ୍ୱ ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଦେଖା ଦେଇଛି | ଅର୍ଥ ବ୍ୟବସ୍ଥାରେ କ୍ଷତି ଯୋଗୁଁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ କରିଦେଇଛନ୍ତି | ଆହୁରି ଅନେକ କମ୍ପାନୀ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବାକୁ ନୋଟିସ ଜାରି କରିଛନ୍ତି | ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କ୍ୟାବ କମ୍ପାନୀ ୟୁବେର ନିଜର ୩ ହଜାର ୭୦୦ କର୍ମଚାରୀଙ୍କୁ ହଠାତ ଚାକିରୀରୁ ବାହାର କରିଡ଼ଦେଇଥିଲା | ବର୍ତ୍ତମାନ କ୍ୟାବ ଏଗ୍ରିଗେଟର କମ୍ପାନୀ ଓଲା ରାଇଡ଼ର୍ସ, ଫାଇନାନସିଲ ସର୍ଭିସ ଓ ଫୁଡ ବିଜନେସର ୧୪୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି | ଏହା ମୋଟ କର୍ମଚାରୀଙ୍କ ପାଖାପାଖି ୨୫ ପ୍ରତିଶତ |
କମ୍ପାନୀ ସିଇଓ ଭବିଷ ଅଗ୍ରୱାଲ ଏକ ଇ-ମେଲ ଜରିଆରେ କର୍ମଚାରୀଙ୍କୁ ଛଟେଇ ସମ୍ପର୍କରେ ସୂଚନା ଦେଇଛନ୍ତି | ଇ-ମେଲରେ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟରେ ଅସ୍ପଷ୍ଟ ଏବଂ ଅନିଶ୍ଚିତତା ଦେଇ ଗତି କରୁଛି | କରୋନା ସଙ୍କଟ ପ୍ରଭାବ ବ୍ୟବସାୟ ଉପରେ ପଡିଛି ଏବଂ ଏହା ବହୁତ ସମୟ ଯାଏଁ ରହିବ | ତାଙ୍କ ଉଦ୍ୟୋଗ ପାଇଁ ଭାଇରସର ପ୍ରଭାବ ଅତ୍ୟନ୍ତ ଖରାପ ବୋଲି ସେ କହିଛନ୍ତି | ଗତ ଦୁଇ ମାସରେ କମ୍ପାନୀର ୯୫ ପ୍ରତିଶତ କ୍ଷତି ହୋଇଛି | ଏହି ସଙ୍କଟ ଯୋଗୁଁ ତାଙ୍କ କମ୍ପାନୀର ଲକ୍ଷ ଲକ୍ଷ ଡ୍ରାଇଭର ଓ ସେମାନଙ୍କ ପରିବାର ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି ଭବିଷ ଅଗ୍ରୱାଲ | ସେଥିପାଇଁ ସେ ୧୪୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି |

ମାର୍ଚ୍ଚ ୨୫ ତାରିଖରେ ସରକାର ଦେଶ ବ୍ୟାପି ଲକଡାଉନ ଘୋଷଣା କରିବା ପରେ ଓଲା ଉବେର ସେବା ସ୍ଥଗିତ ରଖିଥିଲା | ଫଳରେ କମ୍ପାନୀ ଅନେକ କ୍ଷତି ସହ୍ୟ କରିବାକୁ ପଡିଛି | ଲକଡାଉନ ନିୟମରେ ଆଂଶିକ କୋହଳ ପରେ ଓଲା ଦେଶର ୧୬୦ ସହରରେ ପୁଣି କ୍ୟାବ ସେବା ଆରମ୍ଭ କରିଛି |
ଓଲା ପୂର୍ବରୁ ଉବେର ମଧ୍ୟ ଏହି ଆର୍ଥିକ ସଙ୍କଟ ଯୋଗୁଁ ୩ ହଜାର ୭୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା | କମ୍ପାନୀ ବର୍ତ୍ତମାନ ୨୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି | ଏହାସହ କମ୍ପାନୀ ବିଶ୍ୱ ସ୍ଥରରେ ୪୫ଟି କାର୍ଯ୍ୟାଳୟ ବନ୍ଦ କରିଦେଇଛି | ସୋମବାର ଦିନ କମ୍ପାନୀ ୩ ହଜାର କର୍ମଚାରୀଙ୍କୁ ବାହାର କରିବାକୁ ନିଷ୍ପତ୍ତି ନେଇଛି |