କର୍ଣ୍ଣେଲ ବୁକ୍‌ କରିଥିଲେ ଓଲା କ୍ୟାବ୍, ନପହଞ୍ଚିଥିବାରୁ ଦେବାକୁ ପଡିବ ୬୦ ହଜାର ଟଙ୍କା ଜରିମାନା

Published By : Prameya-News7 Bureau | June 17, 2019 IST

କ୍ୟାବ୍‌ ନପହଞ୍ଚିଥିବାରୁ ଓ ଡ୍ରାଇଭର ବୁକିଂ କ୍ୟାନସଲ କରିଥିବା ମାମଲାରେ ଜିଲ୍ଲା ଖାଉଟୀ ଅଦାଲତ ଓଲା ସଂସ୍ଥାକୁ ଦୋଷି ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଲେଫ୍ଟନେଣ୍ଟ କର୍ଣ୍ଣଲକୁ ୬୦ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦିଆଯାଇଛି। ୩୦ ଦିନ ମଧ୍ୟରେ ୬୦ ହଜାର ଟଙ୍କା ନଦେଲେ ସୁଧ ଗଣିବାକୁ ପଡିବ।  

 ଅଲିଙ୍ଗଜ ନିବାସୀ କର୍ଣ୍ଣଲ ବିଜୟ କୁମାର ଖାଉଟୀ ଅଦାଲତରେ ଅଭିଯୋଗ କରିଥିଲେ ଯେ, ୨୦୧୬ ମସିହା ଏପ୍ରିଲ ମାସରେ ସେ ନିଜ ପତ୍ନୀ ଓ ୨ ପିଲାଙ୍କ ସହ ମା ବାପାଙ୍କୁ ଦେଖା କରିବା ପାଇଁ ଲକ୍ଷ୍ନୌ ଯାଇଥିଲେ। ଫେରିବା ସମୟରେ ସେ ଘରୁ ଚାରବାଗ ଷ୍ଟେସନ ଯିବା ପାଇଁ ଓଲା କ୍ୟାବ୍‌ ବୁକ୍‌ କରିଥିଲେ। ଏଥିପାଇଁ ସେ ଆଗୁଆ ୧୯୦୦ ଟଙ୍କା ଦାଖଲ ମଧ୍ୟ କରିଥିଲେ। ସକାଳ ୫:୩୦ରେ କ୍ୟାବ୍‌ ତାଙ୍କ ଘରେ ପହଞ୍ଚିବାର ଥିଲା।

ଡ୍ରାଇଭରକୁ ଫୋନ୍‌ କରିଥିବାରୁ ସେ ୧୦ ମିନଟ୍‌ରେ ପହଞ୍ଚିବ ବୋଲି କହିଥିଲା। କିନ୍ତୁ କିଛି ସମୟ ପରେ ସେ ବୁକିଂ କ୍ୟାନସଲ କରିବା ସହ ଫୋନ୍‌ ବନ୍ଦ କରିଥିଲା। ଏହି କାରଣରୁ ପୂରା ପରିବାରକୁ ଷ୍ଟେସନ ପହଞ୍ଚିବାରେ ଅସୁବିଧା ହୋଇଥିଲା। ପରବର୍ତ୍ତି ସମୟରେ କୁମାର ଜିଲ୍ଲା ଖାଉଟୀ ଅଦାଲତରେ ଓଲା କ୍ୟାବ୍‌ ବିରୋଧରେ ୧୫ ଲକ୍ଷ ଟଙ୍କା ଓ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ  ଆବେଦନ କରିଥିଲେ।

ଏହି ମାମଲାର ଶୁଣାଣି ପରେ ଆୟୋଗର ସଦସ୍ୟ ଓଲା କ୍ୟାବ୍‌କୁ ଦୋଷି ସାବ୍ୟସ୍ତ କରିଥିଲେ। ଏହା ସହ ସେ କୁମାରଙ୍କ ଅଭିଯୋଗକୁ ଗ୍ରହଣ କରିଥିଲେ। ସେବା ଯୋଗେଇନପାରିବାରୁ ୫୦ ହଜାର ଟଙ୍କା ଓ ମାନସିକ କଷ୍ଟ ଦେଇଥିବାରୁ ୧୦ ହଜାର ଟଙ୍କା ଜରିମାନା ଦେବା ପାଇଁ ଓଲା କ୍ୟାବ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।ଏଥି ସହ ଆଇନ୍‌ ଖର୍ଚ୍ଚ ପାଇଁ ୨୦୦୦ ଟଙ୍କା ଦେବା ପାଇଁ ମଧ୍ୟ ଆଦେଶ ଦିଆଯାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.