ଆଜିଠୁ ଟ୍ୱିନ୍ ସିଟିରେ ଗଡ଼ିବ ‘ଓଲା’ କାର, ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରିବା ପାଇଁ ଅନୁମତି
13/04/2020 at 8:30 AM

ଭୁବନେଶ୍ୱର ୧୩/୪: ଲକ୍ଡାଉନ୍ ବେଳେ ଆଜିଠୁ ଟ୍ୱିନ୍ ସିଟି ରାସ୍ତାରେ ଗଡ଼ିବ ‘ଓଲା’ କାର । କେବଳ ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରିବ । ଏହି ଉଦ୍ଦେଶ୍ୟରେ ପୋଲିସ ୧୦୦ଟି ଓଲା କାର୍ ଡ୍ରାଇଭରକୁ କମିଶନରେଟ ପୁଲିସ ପାସ୍ ବାଣ୍ଟିଛି । ଏହି କାର ଚାଳକମାନେ ଭୁବନେଶ୍ୱର ଓ କଟକରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବ ।
ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି, କାୟା ମେଲାଉଥିବା ‘କରୋନା’କୁ କାବୁ କରିବାକୁ ସରକାର ଏବେ ଲକ୍ ଡାଉନ୍ ସମୟ ଅବଧିକୁ ବଢ଼ାଇଛନ୍ତି । ଏପ୍ରିଲ୍ ୧୪ରେ ସରିବାକୁ ଥିବା ଏହି ଲକ୍ଡାଉନ୍ ଏପ୍ରିଲ୍ ଶେଷ ଯାଏଁ ଲାଗୁ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ଲକ୍ଡାଉନ୍ ଯୋଗୁଁ ଅନେକ ଘରେ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ପଦାକୁ ବାହାରି ପାରୁନାହାନ୍ତି । ଏପରିକି ପରିସ୍ଥିତି ଏମିତି ହୋଇଛି ଯେ, ଯଦି କାହାରି ଦେହ ଖରାପ ହେଉଛି କିମ୍ବା କୌଣସି ସାଧାରଣ ରୋଗ ହେଉଛି, ତାଙ୍କୁ ମଧ୍ୟ ହସ୍ପିଟାଲ ଯିବା ଆସିବା ମୁସ୍କିଲ୍ ହେଉଛି । ରୋଗୀଙ୍କୁ ଯଥେଷ୍ଟ ଆମ୍ବୁଲାନ୍ସ ମିଳୁନି । ଏହି ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଲକ୍ଷ୍ୟରେ ଓଲା କାର୍ଗୁଡି଼କୁ ପାସ୍ ଦିଆଯାଇଥିବା ପୁଲିସ କହିଛି ।
ପାସ୍ ମିଳିଥିବା ଓଲା କାର୍ଗୁଡି଼କ ଲୋକଙ୍କୁ ଘରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ଯାଇପାରିବ । ଉକ୍ତ କାର୍ରେ ଚାଳକଙ୍କୁ ମିଶାଇ ମାତ୍ର ୩ଜଣ ବସିପାରିବେ । ହେଲେ କାର୍ଗୁଡିକ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବ ନାହିଁ । କିମ୍ବା ଅନ୍ୟ କୌଣସି ପ୍ରାଇଭେଟ ଭଡ଼ା କରିପାରିବେନି । ପୋଲିସ କହିଛି, ଓଲା କାର୍ଗୁଡିକର ଲୋକେସ୍ନ ଟ୍ରାକ୍ କରିବ ମର୍ଡର୍ଣ୍ଣ କଣ୍ଟ୍ରୋଲ ରୁମ୍ । ଏହି ରୁମ୍ରେ ଓଲା ସଂସ୍ଥା ପକ୍ଷରୁ ମଧ୍ୟ କର୍ମଚାରୀ ରହିବେ । ଯଦି କୌଣସି କାର୍ ମେଡିକାଲ ଛଡା ଅନ୍ୟ କୌଣସି ଜାଗାକୁ ଭଡ଼ାରେ ଯାଏ, ତେବେ ଉକ୍ତ କାର୍ ଚାଳକଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।