ଥଣ୍ଡାରୁ ରକ୍ଷା ପାଇବା ପାଇଁ କାର ଭିତରେ କୋଇଲା ଜାଳି ଶୋଇପଡିଲେ ଓଲା କ୍ୟାବ ଡ୍ରାଇଭର, ଅଣନିଶ୍ୱାସୀ ହୋଇ ମୃତ୍ୟୁ

Published By : Prameya-News7 Bureau | January 17, 2019 IST

ଦିଲ୍ଲୀ ୧୭/୧ : ବିଳମ୍ବିତ ରାତିରେ ଓଲା କ୍ୟାବ ଚଲାଉଥିବା ଡ୍ରାଇଭର ଥଣ୍ଡାରୁ ରକ୍ଷା ପାଇଁ କାର ଭିତରେ ହିଁ କୋଇଲା ଜଳାଇ ଶୋଇପଡ଼ିଥିଲେ | ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି | ଓଲା କ୍ୟାବ ଡ୍ରାଇଭର ମଂଗଳବାର ବିଳମ୍ବିତ ରାତିରେ ଯାତ୍ରୀଙ୍କୁ ଛାଡିବା ପରେ ହାଲିଆ ହୋଇ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଇଲା ଜାଳିଥିଲେ | ନିଦ ଆସିବାରୁ ସେ କୋଇଲା ଜାଳି କାର ଭିତରେ ଶୋଇପଡ଼ିଥିଲେ | ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ରାସ୍ତା ଉପରେ କାର ଛିଡା ହୋଇଥିବା ଦେଖି ପୋଲିସ କାରର କାଚ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ | ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ |

ମୃତ କ୍ୟାବ ଡ୍ରାଇଭରଙ୍କ ନାଁ ସତ୍ୟେନ୍ଦ୍ର | ସେ ଖୋଡା କଲୋନୀରେ ଘର ଭଡା ନେଇ ରହୁଥିଲେ | ସେ ପ୍ରାୟ ରାତିରେ ହିଁ କ୍ୟାବ ଚଳାଉଥିଲେ | ସେ ନିଜର ୱାଗନର କାର ଓଲାରେ ଆଟାଚ କରିଥିଲେ | ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟ ସେ କ୍ୟାବ ନେଇ ଘରୁ ବାହାରିଥିଲେ | ସେକ୍ଟର-୫୦ ନିକଟରେ ଯାତ୍ରୀଙ୍କୁ ଛାଡି ନିର୍ମାଣାଧୀନ ମେଟ୍ରୋ ଷ୍ଟେସନ ପାଖରେ କ୍ୟାବ ରଖି ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ | ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଯାତ୍ରୀ ନମିଳିବାରୁ ସତ୍ୟେନ୍ଦ୍ର କାର ପାଖରେ ହିଁ କୋଇଲା ଜାଳି ନିଆଁ ପୁଇଁବାରେ ଲାଗିଲେ |କିନ୍ତୁ ତାଙ୍କୁ ନିଦ ଲାଗୁଥିବାରୁ ସେ ଜଳୁଥିବା କୋଇଲାକୁ ଏକ ଯାଗାରେ କାର ଭିତରକୁ ନେଇ ଆସିଥିଲେ । କାର ଭିତରେ ଉଷୁମ ଲାଗିବାରୁ ତାଙ୍କୁ ନିଦ ହୋଇଯାଇଥିଲା । ତେବେ କାରର ସବୁ ଡୋର ଓ ୱିଣ୍ଡୋ ବନ୍ଦ ରହିଥିବାରୁ କାର ଭିତରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ଫଳରେ ସେ ଶୋଇଥିବା ଅବସ୍ଥାରେ ହିଁ ଅଣ ନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।  

ସେକ୍ଟର-୪୯ ପୋଲିସର ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ୧୦୦ କୁ ଫୋନ କରି ସୂଚନା ଦେଇଥିଲେ ଯେ, ଜଣେ ଯୁବକ କାର ଭିତରେ ଚେତାଶୂନ୍ୟ ଅବସ୍ଥାରେ ପଡିଛନ୍ତି | ପୋଲିସ ପାଟ୍ରୋଲିଂ ଗାଡି ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ କର୍ମଚାରୀ କାରର ଗେଟ ଖୋଲିବାକୁ ଚେଷ୍ଟା କରିଥିଲେ | କିନ୍ତୁ କାରର ଗେଟ ନଖୋଲିବାରୁ ଶେଷରେ କାଚ ଭାଙ୍ଗି ସତ୍ୟେନ୍ଦ୍ରଙ୍କୁ ବାହାରକୁ ବାହାର କରିଥିଲେ | ପୋଲିସଙ୍କ କହିବାନୁଯାୟୀ ଅଣନିଶ୍ୱାସୀ ହୋଇ ସତ୍ୟେନ୍ଦ୍ରଙ୍କ ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.