ଜୁଲାଇ ୨୫ରେ OJEE !

Published By : Prameya-News7 Bureau | May 31, 2020 IST

ଭୁବନେଶ୍ୱର ୩୧।୦୫: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏବଂ ସ୍ୱତନ୍ତ୍ର ଓଜେଇଇ ଜୁଲାଇ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ହେବ । ଜୁଲାଇ ୨୫ରେ ହେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ବିଧିବଦ୍ଧ ବିଜ୍ଞପ୍ତି ଭାବେ ପ୍ରକାଶିତ ହେବ । ଅପରପକ୍ଷେ ବିଟେକ୍‌ ପଢ଼ିବା ପାଇଁ ସ୍ୱତନ୍ତ୍ର ଓଜେଇଇ ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ । ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫି’ ମଧ୍ୟ ଦାଖଲ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

ବିଜ୍ଞପ୍ତିରେ ପ୍ରଫେସର ଚାନ୍ଦ କହିଛନ୍ତି, କରୋନା ସଂକ୍ରମଣକୁ ରୋକିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଘୋଷଣା ହେବା ପରେ ଓଜେଇଇ ପକ୍ଷରୁ ମଧ୍ୟ ଅନଲାଇନ୍‌ ଆବେଦନର ଶେଷ ଦିବସକୁ ଘୁଞ୍ଚାଇ ଦିଆଯାଇଛି । ବିଟେକ୍‌ ଆଶାୟୀ ଛାତ୍ରଛାତ୍ରୀମାନେ ଅନଲାଇନରେ ଜୁନ୍‌ ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ହେଲେ ଅନ୍ୟ ସମସ୍ତ କୋର୍ସ ପାଇଁ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଏପରିକି ଏ ବାବଦରେ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଫି’ ଦାଖଲ କରିହେବ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ପରୀକ୍ଷା ସୂଚୀ ଓ ଆଡମିଟ୍‌ କାର୍ଡ଼ ଡାଉନଲୋଡ୍‌ ବାବଦରେ ମେ ୩୧ ତାରିଖ କରୋନା ପରିସ୍ଥିତିର ସମୀକ୍ଷା କରିବା ପରେ ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲି ପଡିଥିବା ବିଟେକ୍‌ ପ୍ରଥମ ବର୍ଷ ସିଟ୍‌ଗୁଡିକ ପୂରଣ କରିବା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏ ବାବଦରେ ବିସ୍ତୃତ ସୂଚନା ଓ ନିର୍ଦ୍ଦେଶନାମା www.ojee.nic.inରେ ସୂଚନା ଦିଆଯାଇଛି । ବିଟେକ୍‌ ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷାର ସିଲାବସ୍‌ ଜେଇଇ ମେନ୍‌ ୨୦୨୦ ଅନୁଯାୟୀ ରହିବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ଚାନ୍ଦ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.