ଲାଞ୍ଜିଗଡ ବେଦାନ୍ତରେ ଆନ୍ଦୋଳନ ବେଳେ ୨ ଜଣଙ୍କ ମୃତ୍ୟୁ ଘଟଣା ; ସୁରକ୍ଷା ଦାବିରେ ଓଆଇଏସଏଫ ଯବାନଙ୍କ ଆମରଣ ଅନଶନ
24/03/2019 at 2:15 PM
ଲାଞ୍ଜିଗଡ ୨୪|୩ : ଲାଞ୍ଜିଗଡ ବେଦାନ୍ତରେ ଆନ୍ଦୋଳନ ବେଳେ ୨ ଜଣଙ୍କ ମୃତ୍ୟୁ ଘଟଣା ପରେ ନିଜ ସୁରକ୍ଷା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ ଓଆଇଏସଏଫ ଯବାନ । ଗତ ୧୮ ତାରିଖରେ ନିଯୁକ୍ତି ଦାବିରେ ବେଦାନ୍ତ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ ସ୍ଥାନୀୟ ବାସିନ୍ଦା । ରଙ୍ଗୋପାଲି , ବନ୍ଦଗୁଡା ଓ କୋଟଦ୍ବାର ତିନି ଗୋଟି ଗାଁର ବିସ୍ଥାପିତ ସ୍ଥାୟୀ ନିଯୁକ୍ତି ଦାବି କରି ଧାରଣା ଦେଇଥିଲେ । ସେହି ସମୟରେ ଗ୍ରାମବାସୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ପୋଲିସର ଲାଠିଚାର୍ଜରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେପଟେ ଗଣ୍ଡଗୋଳ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଜଣେ ହାବିଲଦାର । ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ଏଭଳି ଘଟଣା ପରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଓଆଇଏସଏଫ ଯବାନ । ନିୟମ ଅନୁସାରେ ଏପରି ଘଟଣା ଘଟିଲେ ସେଠିକାର ଯବାନମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥାଏ । ପ୍ରତିଶୃତି ମିଳିଥିଲେ ବି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେଠାରେ କାମ କରିବାକୁ ରାଜି ହେଉନାହାନ୍ତି ଯବାନ । ନିଜର ଦାବି ନେଇ କ୍ୟାମ୍ପରେ ଆମରଣ ଅନଶନରେ ବସିଛନ୍ତି ।