ସୁକିନ୍ଦା ଆସୁଥିବା ତେଲ ଟ୍ୟାଙ୍କର ଅଧା ବାଟରେ ହାଇଜାକ୍, ଘଟଣାସ୍ଥଳ କାହା ଅଞ୍ଚଳରେ ଯାଉଛି ଜାଣି ପାରୁନି ପୋଲିସ

Published By : Prameya-News7 Bureau | January 08, 2021 IST

ଜଳେଶ୍ଵର ୦୮।୦୧:  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ନନ୍ଦିକା ସ୍ଥିତ ସାଇରାମ ହୋଟେଲ ନିକଟରେ ଅଭାବନୀୟ ଘଟଣା। ପଶ୍ଚିମବଙ୍ଗର ହଳଦୀଆରୁ ଓଡ଼ିଶାର ଯାଜପୁରର ସୁକିନ୍ଦା ଅଭିମୁଖେ ୨୦,୦୦୦ ଲିଟର ଡିଜେଲ ଧରି ଯାଉଥିବା ଟ୍ୟାଙ୍କର କୁ ହାଇଜାକ କରି ନିଆଯାଇଛି। ଡ୍ରାଇଭର ଓ ହେଲପରଙ୍କୁ ମାଡ ମାରି  ଲହୁଲୁହାଣ କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ। ସେପଟେ ହାଇଜାକ୍‌ ହୋଇଥିବା ଘଟଣାସ୍ଥଳ କାହା ଅଞ୍ଚଳରେ ଯାଉଛି ତାହା ଏ ଯାଏ ଜାଣି ପାରୁନି ପୋଲିସ।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ୪ ଘଟିକା ସମୟରେ ପଶ୍ଚିମବଙ୍ଗର ହଳଦୀଆରୁ ଓଡ଼ିଶାର ଯାଜପୁରର ସୁକିନ୍ଦା ଅଭିମୁଖେ ୨୦,୦୦୦ ଲିଟର ଡିଜେଲ ଧରି WB 29 B 1837 ଟ୍ୟାଙ୍କର ଯାଉଥିବା ବେଳେ  ଜଳେଶ୍ଵର ଥାନା ନନ୍ଦିକା ଠାରୁ କିଛି ଦୂର ଆଗକୁ ଗଲା ପରେ ଟ୍ୟାଙ୍କର କୁ ହାଇଜାକ୍ କରି ନିଆଯାଇଛି। ସୂଚନା ଅନୁଯାୟୀ  ଟର୍ଚ୍ଚ ଲାଇଟ୍ ମାରି ଗାଡ଼ିକୁ ଅଟକାଇ ଦୁର୍ବୃତ୍ତ ମାନେ ଡ୍ରାଇଭର - ରମଜାନ ଅଲ୍ଲି ମଣ୍ଡଳ ଓ ଖଲାସି - ବରୁଣ ଦାସଙ୍କୁ କାବୁ କରି ଏକ ବୋଲେରୋ ଗାଡ଼ିରେ ନେଇଯାଇଥିଲେ। ତେବେ ତେଲ ବୋଝେଇ ଗାଡ଼ିରେ ଲାଗିଥିବା ଜିପିଏସ ହୋଟେଲ ସମ୍ମୁଖରେ ବନ୍ଦ ହେବା ପରେ ମାଲିକ ଡ୍ରାଇଭର ଏବଂ ଖଲାସି ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କୌଣସି ଖବର ନପାଇ ଗାଡ଼ି ଖୋଜିବାକୁ ବାହାରି ଆସିଥିଲେ।

{"id":389083,"sizeSlug":"large","linkDestination":"none"}

ଏଣେ ଅପହୃତ ଡ୍ରାଇଭର ଓ ଖଲାସିକୁ ଦୁର୍ବୃତ୍ତମାନେ ପ୍ରବଳ ମାଡ଼ ସହ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଶରତଥାନା  ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଅପରାହ୍ନ ସମୟରେ ଡ୍ରାଇଭର ରମଜାନ ରକ୍ତାକ୍ତ ଅବସ୍ଥାରେ ଜଙ୍ଗଲରୁ ବାହାରି ସ୍ଥାନୀୟ ଲୋକମାନଙ୍କୁ ଜଣାଇବା ସହ ଗାଡ଼ି ମାଲିକ ରୁକମଣୀ ଦାସଙ୍କୁ ଘଟଣା ସମ୍ପର୍କରେ ଫୋନ କରିଥିଲେ।

ଖବର ପାଇ ମାଲିକ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ଖଲାସିକୁ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି। ତେବେ ହଲଦିଆ ପେଟ୍ରୋଲିୟମ କମ୍ପାନୀର ସେକ୍ରେଟାରୀ ୟୁଗେନ୍ଦ୍ର ରାୟ ଜଳେଶ୍ଵର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୈାଣସି ଅଭିଯୋଗ ଗ୍ରହଣ କରିନାହିଁ। ଏରିଆ କାହାର ପୋଲିସ ଜାଣିପାରୁ ନଥିବା ବେଳେ ଅଭିଯୋଗକାରୀ ଜଳେଶ୍ଵର , ବସ୍ତା ,ରୁପସା ଥାନା ଦୌଡି ଦୌଡି ନୟାନ୍ତ ହୋଇ ସାରିଲେଣି। ଏପର୍ଯ୍ୟନ୍ତ ହାଇଜାକ ଟ୍ୟାଙ୍କରର କୌଣସି ଖବର ମିଳି ନାହିଁ। ତେବେ ପ୍ରତ୍ୟେକ ଦିନ ଓ ରାତି ରାଜପଥ ଉପରେ ଲୁଟିଆ ମାନଙ୍କର ଆଡ୍ଡା ସ୍ଥଳ ପାଲଟି ଥିବା ବେଳେ , ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଉକ୍ତ ଘଟଣାରେ ଜଳେଶ୍ଵର ଏସଡିପିଓ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.