ଯୁବକଙ୍କୁ ଧକ୍କା ଦେଲା ତେଲ ଟ୍ୟାଙ୍କର, ମୃତଦେହକୁ ୧୬ କିମି ଯାଏଁ ଘୋଷାଡି ନେଲା

Published By : Prameya-News7 Bureau | July 06, 2021 IST

ଆଠଗଡ ,୦୬/୦୭:  କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ବଡମ୍ବା ହାଟ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ପେଟ୍ରୋଲ ଟ୍ୟାଙ୍କର ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ଏପରିକି ଯୁବକଜଣଙ୍କୁ ଧକ୍କା ଦେବା ପରେ ଟ୍ୟାଙ୍କରଟି ମୃତଦେହକୁ ପ୍ରାୟ ୧୬ କିମି ଯାଏଁ ଘୋଷାଡି ନେଇଥିଲା ।

ମୃତ ଯୁବକ ଜଣଙ୍କ ହେଲେ ବଡମ୍ବା ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ଖମାର ସାହିର ବିଜୟ ନାୟକ।ବୟସ ୫୦ ବର୍ଷ। ସୂଚନା ଅନୁଯାୟୀ,  ସୋମବାର ରାତି ପ୍ରାୟ ସାଢ଼େ ଦଶଟାରେ କଟକରୁ ନରସିଂହପୁର ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର ବଡମ୍ବା ହାଟ ଛକ ନିକଟରେ  ତାଙ୍କୁ  ଧକ୍କା ଦେଇଥିଲା ।ଯୁବକଙ୍କ ଗୋଡ଼ ଟ୍ୟାଙ୍କରର ତଳ ପାଖେ କୌଣସି  ଏକ ସ୍ଥାନରେ ଲାଗି ରହିଯାଇଥିଲା।ଯାହା ଫଳରେ ମୃତଦେହକୁ  ଟ୍ୟାଙ୍କରଟି ପ୍ରାୟ ୧୬ କିମି ଯାଏଁ ଘୋଷାଡି ନେଇଥିଲା । ଟ୍ୟାଙ୍କର ଡ୍ରାଇଭର ମଧ୍ୟ ଏହା ଜାଣିପାରିନଥିଲେ।

ରାସ୍ତାରେ ଯାଉଥିବା ଲୋକମାନେ ଏହା ଦେଖି ବଡମ୍ବା ପୋଲିସକୁ ଖବର ଦେଇଥିଲେ।ବଡମ୍ବା ପୋଲିସ ଦ୍ରୁତ ଗତିରେ ଯାଉଥିବା ଟ୍ୟାଙ୍କରକୁ ଗୋଡ଼ାଇଥିଲା । ତେବେ କାନପୁର ଥାନା ଅନ୍ତର୍ଗତ ଋଷିପଡା ଛକ ନିକଟରେ ଥିବା ଏକ ହମ୍ପ୍ସ ପାଖରେ ମୃତଦେହଟି ଖସି ପଡ଼ିଥିଲା।କାନପୁର ପୋଲିସ ସହାୟତାରେ ବଡମ୍ବା ପୋଲିସ ଟ୍ୟାଙ୍କରକୁ ଚମ୍ପେଶ୍ୱର ଠାରେ ଅଟକାଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ବଡମ୍ବା ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.