ରେକର୍ଡ ସ୍ତରରେ ପେଟ୍ରୋଲ-ଡିଜେଲ୍ ଦାମ, ଜାଣନ୍ତୁ ଦର କମ କରିବା ନେଇ କ'ଣ କହିଲେ ନୂତନ ପେଟ୍ରୋଲିୟମ ମନ୍ତ୍ରୀ

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୦୮।୦୭: ବହୁ କଳ୍ପନା ଜଳ୍ପନା ପରେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି। ବିଭାଗ ବଣ୍ଟନ ପରେ ଗୁରୁବାର ଜଣେ ପରେ ଜଣେ ମନ୍ତ୍ରୀ ନିଜର ପଦଭାର ସମ୍ଭାଳୁଛନ୍ତି। ଏହି କ୍ରମରେ ଗୁରୁବାର ହରଦୀପ ସିଂହ ପୁରୀ ପେଟ୍ରୋଲିୟମ ପଦଭାର ସମ୍ଭାଳିଛନ୍ତି। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଥିଲା ଏହି ବିଭାଗ। ହରଦୀପ ଏମିତି ସମୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦାୟିତ୍ଵ ସମ୍ଭାଳିଛନ୍ତି, ଯେବେ ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ ରେକର୍ଡ ସ୍ତରରେ ରହିଛି। ତେଲ ଦରକୁ ନେଇ ସମଗ୍ର ଦେଶରେ ଉଠିଲାଣି ବିରୋଧର ସ୍ଵର।

କରୋନା ସଙ୍କଟ ସମୟରେ ଲୋକଙ୍କୁ ଅଧିକ କଲ ବଲ କଲାଣି ଏହି ପେଟ୍ରୋଲ-ଡିଜେଲ୍ ଦାମ। ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଅତିକ୍ରମ କରି ସାରିଛି। ଏମିତିରେ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ଭାଳିବା ସହଜ ହେବ ନାହିଁ। ନିଜ ପଦଭାର ସମ୍ଭାଳିବା ପରେ ନିଜ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପେଟ୍ରୋଲିୟମ ମନ୍ତ୍ରୀ କରାଯିବା ନେଇ ପୁରୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ମଧ୍ୟ କହିଛନ୍ତି, ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଲ କାମକୁ ଜାରି ରଖିବେ।

ଏହି ସମୟରେ ପୁରୀ କହିଛନ୍ତି, ଏହା ଏମିତି ଏକ ମନ୍ତ୍ରଣାଳୟ ଯାହାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଦେଶର ପ୍ରତିଟି ନାଗରିକଙ୍କ ସହ ସମ୍ଵନ୍ଧ ରହିଛି। କିନ୍ତୁ ସେ ପେଟ୍ରୋଲ ଓ ଡିଜେଲ୍‌ର ବଢୁଥିବା ଦାମ ଉପରେ ସିଧାସଳଖ ଉତ୍ତର ଦେଇ ନାହାନ୍ତି। ପୁରୀ କେବଳ ଏତିକି କହିଛନ୍ତି ଯେ, ଏବେ ଏବେ ସେ ଦାୟିତ୍ଵ ସମ୍ଭାଳିଛନ୍ତି। ମାମଲାକୁ ବୁଝିବା ଏବଂ ସମୀକ୍ଷା କରିବା ପରେ ସେ ଏହି  ବିଷୟରେ କହିବାକୁ ଚାହିଁବେ।

ସେ କହିଛନ୍ତି, ତେଲ ଓ ଗ୍ୟାସ୍ର ଘରୋଇ ଉତ୍ପାଦନ  ବୃଦ୍ଧିର ଆବଶ୍ୟକତା ଥିବା କହିଛନ୍ତି। ତାଙ୍କର ଧ୍ୟାନ ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବା ଉପରେ ରହିବ। କୌଣସି ବି ଅର୍ଥ ବ୍ୟବସ୍ଥା ପାଇଁ ଉର୍ଜା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.