ଖାଉଟିଙ୍କ ଉପରେ ମହଙ୍ଗା ମାଡ : ଖାଇବା ତେଲ ଦାମ୍ ୩୦ ପ୍ରତିଶତ ବଢିଲାଣି, ଗୃହିଣୀ ଓ ସରକାର ସମସ୍ତେ ଚିନ୍ତାରେ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ, ୨୦।୧୧:   ଲଗାତର ଭାବେ ଖାଇବା ତେଲର ଦରବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । ସମସ୍ତ ଖାଇବା ତେଲର ଦାମ୍ ବୃଦ୍ଧି ପାଇଛି । ବାଦାମ, ସୋରିଷ, ବନସ୍ପତି, ସୋୟାବିନ, ସୂର୍ଯ୍ୟମୂଖି ସମେତ ଅନ୍ୟ ତେଲର ଦାମ୍ ବଢିଛି । ଏହା ବ୍ୟତୀତ ପାମ୍ ତେଲ, ସୋୟାବିନ ଓ ସୂର୍ଯ୍ୟମୂଖି ତେଲର ଦାମରେ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ସବୁ ତେଲର ଦାମ୍ କିପରି ହ୍ରାସ ପାଇବ ସେନେଇ ସରକାର ଚିନ୍ତା ମଧ୍ୟ କରୁଛନ୍ତି ।

ଗୋଟିଏ ପଟେ ଦେଶରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିକାର ପାଇଁ ସରକାର ୩୦ ହଜାର ଟନ୍ ପିଆଜ ଆମଦାନୀ କରିଛନ୍ତି । କିନ୍ତୁ ଖାଇବା ତେଲର ଦାମ୍ ବୃଦ୍ଧି ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି । ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ବସିଥିଲା ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ସୋରିଷ ତୈଳର ଦାମ୍ ଗୁରୁବାର ଲିଟର ପିଛା ୧୨୦ ଟଙ୍କା ରହିଛି । ଗତ ବର୍ଷ ଏହା ୧୦୦ ରହିଥିଲା। ସେହିପରି ବନସ୍ପତି ତେଲର ଦାମ୍ ଗୋଟିଏ ବର୍ଷ ପୂର୍ବରୁ ୭୫.୨୫ ଟଙ୍କା ଥିବା ବେଳେ ଏବେ ଏହା ୧୦୨. ୫୦ ରହିଛି । ସେହିପରି ସୋୟା ତେଲର ଦାମ୍ ଅକ୍ଟୋବର ୨୦୧୯ରେ ଲିଟର ପିଛା ୯୦ ଟଙ୍କା ଥିବା ବେଳେ ଏବେ ୧୧୦ ଟଙ୍କା ରହିଛି । ଏହାସହ ସୂର୍ଯ୍ୟମୁଖି ଦାମରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଛି ।

ମାଲେସିଆରେ ଗତ ୬ ମାସରେ ପାମ୍ ତେଲ ଉତ୍ପାଦନ କମିଥିବା ବେଳେ ଅନ୍ୟ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ପାଇଛି । ଦେଶର ୭୦ ପ୍ରତିଶତ ତାଳ ତେଲର ଉପଯୋଗ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ହୋଇଥାଏ । ସରକାର ଏବେ ତାଳ ତେଲର ଆମଦାନୀ ଶୁଳ୍କ ହ୍ରାସ ପାଇଁ ଚିନ୍ତା କରୁଛନ୍ତି । କାରଣ ତାଳ ତେଲର ଦାମ୍ ବୃଦ୍ଧି ଅନ୍ୟ ତେଲ ଉପରେ ମଧ୍ୟ ପଡିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.