ଶହେ ଟଙ୍କାରୁ ଅଧିକ ଶସ୍ତା ହେଲା ପ୍ରତି ସିଲିଣ୍ଡର ରୋଷେଇ ଗ୍ୟାସ୍ , ସୋମବାରଠୁ ମିଳିବ ନୂଆ ଦରରେ
30/06/2019 at 10:13 PM

ନୂଆଦିଲ୍ଲୀ: ଘରୋଇ ରୋଷେଇ ଗ୍ୟାସ୍ ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ କମ୍ପାନୀ। ପ୍ରତି ସିଲିଣ୍ଡର ମୂଲ୍ୟରେ ୧ଶହଟଙ୍କା ୫୦ ପଇସା ହ୍ରାସ ହୋଇଥିବା ବେଳେ ସାରା ଦେଶରେ ନୂଆ ଦରରେ ଗ୍ୟାସ ସିଲିଣ୍ଡର ସୋମବାର ଅର୍ଥାତ ଜୁଲାଇ ପହିଲାରୁ ଉପଲବ୍ଧ ହେବ। ଏହି ମୂଲ୍ୟ ହ୍ରାସ ଉଭୟ ନନ ସବସିଡି ଓ ସବସିଡି ସିଲିଣ୍ଡର ଲାଗି ପ୍ରଯୁଜ୍ୟ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ) ପକ୍ଷରୁ ରବିବାର ଜାରି ବିଜ୍ଞପ୍ତିରେ କୁହାଯାଇଛି।

ତୈଳ କମ୍ପାନୀମାନଙ୍କର ଏହି ମୂଲ୍ୟ ହ୍ରାସ ଘୋଷଣା ପରେ ରାଜଧାନୀ ଦିଲ୍ଲୀରେ ସବସିଡି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୭୩୭ଟଙ୍କା ୫୦ ପଇସା ବଦଳେ ଏବେ ୬୩୭ ଟଙ୍କାରେ ଉପଲବ୍ଧ ହେବ। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ସାଙ୍ଗକୁ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ପରିବର୍ତ୍ତନ ଯୋଗୁ ଏହି ମୂଲ୍ୟ ହ୍ରାସ ହୋଇଥିବାରୁ ପ୍ରତି ୧୪.୨ କେଜି ଗ୍ୟାସ୍ ସିଲିଣ୍ଡରରେ ଆଇଓସିଏଲ ଏହି ହ୍ରାସ ଘୋଷଣା କରିଛନ୍ତି।

ସବସିଡିଯୁକ୍ତ ରୋଷେଇ ଗ୍ୟାସ ନିମନ୍ତେ ଉପଭୋକ୍ତାଙ୍କୁ ବଜାର ମୂଲ୍ୟରେ ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡିଥାଏ। ପରେ ସବସିଡି ବାବଦ ରାଶି ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେରାଇ ଦିଆଯାଇଥାଏ। ବର୍ଷକୁ ପ୍ରତି ଉପଭୋକ୍ତା ମାତ୍ର ୧୨ଟି ସିଲିଣ୍ଡର ସବସିଡିରେ ପ୍ରାପ୍ତ କରିଥାନ୍ତି। ତେବେ ଏଲପିଜି ମୂଲ୍ୟରେ ଆସିଥିବା ତାଜା ହ୍ରାସ ପରେ ଉପଭୋକ୍ତାଙ୍କୁ ପ୍ରତି ସିଲିଣ୍ଡର ପିଛା ୧୪୨ଟଙ୍କା ୬୫ପଇସା ସବସିଡି କଟିଯିବା ପରେ ଉପଭୋକ୍ତାଙ୍କୁ ୪୯୪ଟଙ୍କା ୩୫ ପଇସାରେ ଏଲପିଜି ଉପଲବ୍ଧ ହେବ। ନନ ସବସିଡି ଏଲପିଜିଦର ପ୍ରତି ସିଲିଣ୍ଡର ୬୩୭ ଟଙ୍କାରେ ଉପଲବ୍ଧ ହେବ।