ପୋଲିସର ତରବରିଆ ଗିରଫଦାରୀ ! ହତ୍ୟା ଅଭିଯୋଗରେ ଜେଲ ଦଣ୍ଡ ଭୋଗିଥିବା ଦୁଇ ଯୁବକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ OHRCଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 12, 2020 IST

ବରଗଡ଼ ୧୨/୧୧:  ପୋଲିସ୍‌ ତଦନ୍ତରେ ଅବହେଳା କରି ତରବରିଆ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିବା ଓ ପରେ ସେମାନେ ଜେଲ୍‌ ଦଣ୍ଡ ଭୋଗିବା ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମାନାବଧିକାର କମିଶନ। ହତ୍ୟା ଅଭିଯୋଗରେ ଜେଲ ଦଣ୍ଡ ଭୋଗିଥିବା ଦୁଇ ଯୁବକ ହାଲୁ ଗୁର୍ଲ୍ଲା ଓ ରାଘବ ନାୟକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ଥିଲା ଏମିତି
ବରଗଡ଼ ଜିଲ୍ଲା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ମାଝିପାଲି ଗ୍ରାମର ମନୋରଞ୍ଜନ ଡ଼ନସେନାଙ୍କ ପୁଅ ଜିତୁ ଡ଼ନସେନା ପଦ୍ମପୁର ସ୍ଥିତ ତ୍ରିପାଠୀ ଚେମ୍ବରରେ ରହି ଯୁକ୍ତ ଦୁଇ ପାଠ ପଢୁଥିଲେ । ୨୦୧୬ ଡିସେମ୍ବର ୭ ତାରିଖ ଦିନ ଜିତୁଙ୍କ ଦେହ ଅସୁସ୍ଥ ହେବାରୁ ସେ ଚିକିତ୍ସା ପାଇଁ ବରଗଡ଼ ଟାଉନକୁ ଆସିଥିଲେ ।ମାତ୍ର ବରଗଡ଼ରେ ଡାକ୍ତର ନ ଥିବାରୁ ସେ ପୁଣି ପଦ୍ମପୁରକୁ ଫେରୁଥିଲେ । ବାଟରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୭ ନମ୍ବର ୱାର୍ଡର ହାଲୁ ଗୁର୍ଲା ଓ ରାଘବ ନାୟକ ଅଟକାଇ ତାଙ୍କୁ ମାଡ଼ ମାରିବାସହ ତାଙ୍କ ଠାରୁ ୨ଟି ମୋବାଇଲ ଓ ଦୁଇ ହଜାର ଟଙ୍କା ଲୁଟି ନେଇଥିଲେ ।ମାଡ଼ ମାରିବା ପରେ ଜିତୁ ଅଚେତ ହୋଇପଡିବାରୁ ସେ ମରିଯାଇଥିବା ଭାବି ନଦୀ ପଠାରେ ଜିତୁକୁ ଛାଡି ହାଲୁ ଓ ରାଘବ ପଳେଇଥିଲେ ।

ରାଘବ ଓ ହାଲୁ ବିରୋଧରେ ଲାଗିଲା ହତ୍ୟା ମାମଲା
ବହୁ ଖୋଜାଖୋଜି କରିବା ପରେ ପୁଅର କିଛି ଖୋଜ୍ ଖବର ନ ମିଳିବାରୁ ଡିସେମ୍ବର ୨୪ ତାରିଖରେ ପାଇକମାଲ ଥାନାରେ କେଶ ନମ୍ବର ୧୮୭/୨୦୧୬ ଧାରା ୩୬୩ ରେ ଏକ ମାମଲା ରଜୁ ହୋଇଥିଲା ।ପୋଲିସ ତଦନ୍ତରେ ଅଗ୍ରଗତି ନ ହେବାରୁ ଜିତୁଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ପାଇକମାଲ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ତତ୍ୱାବଧାନରେ ଅନୁସନ୍ଧାନ ଚାଲିଥିବା ବେଳେ ୨୦୧୭ ଅକ୍ଟୋବର ୨୨ ତାରିଖରେ ହାଲୁ ଓ ରାଘବଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଜିତୁର ମୋବାଇଲ ମଧ୍ୟ ଜବତ ହୋଇଥିଲା । ପରେ ପୋଲିସ ହାଲୁ ଓ ରାଘବ ବିରୋଧରେ ଆଇପିସି  ଧାରା ୩୦୨,୨୦୧ ଓ ୩୪ ସହ ହତ୍ୟା ମୋକଦ୍ଦମା ରଜୁ କରିଥିଲା ।

ଫେରିଲା ଜିତୁ
ନିଖୋଜ ହେବାର ୧୯ ମାସ ପରେ ହଠାତ କୋଲକତା ର ଜଣେ ଆଇସକ୍ରିମ ଵାଲା ଠାରୁ ସୂଚନା ପାଇ ପାଇକମାଲ ପୋଲିସ ଏବଂ ଜିତୁର ପରିବାର ବର୍ଗ  କୋଲକତାରୁ ଭୁବନେଶ୍ୱର ରାସ୍ତାରେ ଜିତୁକୁ ଉଦ୍ଧାର କରିଥିଲେ ।

କୋଲକାତା କେମିତି ପହଞ୍ଚିଲେ ଜିତୁ ?
ଘଟଣା ଦିନ ମାଡ଼ ଖାଇ ଚେତା ହରାଇଥିବା ଜିତୁର ହୋସ ଆସିବା ପରେ ସେ ବରଗଡ଼ ରେଳଷ୍ଟେସନ ଯାଇ ଟ୍ରେନରେ ଦିଲ୍ଲୀ ପଳେଇଥିଲେ । ଦିଲ୍ଲୀର ଏକ କ୍ୟାଟେରିଂରେ କିଛିଦିନ କାମ କରିବା ପରେ କୋଲକାତା ପଳାଇ ଆସି ଏକ ବ୍ୟାଣ୍ଡ ପାର୍ଟିରେ କାମ କରୁଥିଲେ । ୨୦୧୮ ମସିହା ଜୁଲାଇ ୫ ତାରିଖ ଦିନ ଏକ ଆଇସକ୍ରିମ ବାଲାର ମୋବାଇଲରୁ ଜିତୁର ଘରକୁ ଫୋନ ଆସିଥିଲା । ଫଳରେ ପରିବାର ବର୍ଗ ଜିତୁର ଫଟୋ ପଠାଇବାକୁ ଆଇସକ୍ରିମ ବାଲାକୁ କହିବାରୁ ସେ ଫଟୋ ପଠାଇବା ପରେ ପାଇକମାଲ ପୋଲିସ ଓ ଜିତୁର ପରିବାର ବର୍ଗ ଜିତୁକୁ ଉଦ୍ଧାର କରି ଆଣିଥିଲେ ।ଆଉ ହତ୍ୟା ମାମଲାରେ ଜେଲ ଯାଇଥିବା ହାଲୁ ଏବଂ ରାଘବକୁ ଜାମିନ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.