ପାକିସ୍ତାନର ନୂତନ ଚାଲ୍, ହିଟ୍ ଆଣ୍ଡ ରନ୍ ଅଭିଯୋଗ ଲଗାଇ ଗୁପ୍ତରେ ୨ ଭାରତୀୟ ଅଧିକାରୀଙ୍କୁ ଉଠାଇ ନେଇଛି

Published By : Prameya-News7 Bureau | June 15, 2020 IST

ଇସଲାମାବାଦ ୧୫।୦୬: ପୂରା ଦୁନିଆ ଯେଉଁଠି କରୋନା ମହାମାରୀର ମୁକାବିଲା କରୁଛି ସେହି ସମୟରେ ଆମର ପଡୋଶୀ ଦେଶ ପାକିସ୍ତାନ ଭାରତ ବିରୋଧରେ ଷଡଯନ୍ତ୍ର ରଚିବାରେ ଜୁଟିଛି। ଭାରତରେ ଆତଙ୍କୀ ଗତିବିଧି ନିଜ ଚକ୍ରାନ୍ତରେ ବିଫଳ ହେବାରୁ ବିଚଳିତ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଇରାଣ କରିବାରେ ଲାଗିଛି। ରବିବାର ସକାଳେ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଅପହରଣ ପରେ ଏବେ ପାକିସ୍ତାନ ଗଣମାଧ୍ୟମ ଦାବି କରୁଛି ଯେ, ସେମାନଙ୍କୁ ଇସଲାମାବାଦ ପୋଲିସ ହିଟ୍ ଆଣ୍ଡ ରନ୍‌ ମାମଲାରେ ଗିରଫ କରିଛି।

ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଦୂତାବାସ ନିକଟ ସଡକ ଉପରେ ଭାରତୀୟ ରାଷ୍ଟ୍ରଦୂତଙ୍କ  ବିଏମଡବ୍ଲ୍ୟୁ କାରରେ ଜଣେ ପାକିସ୍ତାନୀ ନାଗରିକଙ୍କ ଦୁର୍ଘଟଣା ଘଟିଥିଲା। ଏହା ପରେ କାରଟି ସେଠାରୁ ଖସି ପଳାଇଥିଲା। ଏହାପରେ ଇସଲାମାବାଦ ପୋଲିସ ଅନ୍ତରାଷ୍ଟ୍ରୀୟ ନିୟମର ଦ୍ଵାହି ଦେଇ ଭାରତୀୟ ରାଷ୍ଟ୍ରଦୂତଙ୍କୁ କଥିତ ଭାବେ ଗିରଫ କରାଯାଇଛି। କିନ୍ତୁ କୂଟନୈତିକ ଆଇନ ଅନୁଯାୟୀ କୌଣସି ବି ଅନ୍ୟ ଦେଶର ରାଷ୍ଟ୍ରଦୂତଙ୍କୁ ଗିରଫ କରାଯାଇ ପାରିବ ନାହିଁ।

ସୂଚନା ଅନୁଯାୟୀ  ଏହି ଦୁଇ ଅଧିକାରୀ କେନ୍ଦ୍ରୀୟ ଅଦୌଗିକି ସୁରକ୍ଷା ବଳ(CISF)ର। ଇସଲାମାବାଦର ପିଟିଭିରେ ଦୁଇ ଅଧିକାରୀଙ୍କୁ ନେଇ ମଧ୍ୟ ଖବର ପ୍ରସାରଣ ହୋଇଛି। ସୂତ୍ର ଅନୁଯାୟୀ ଦୁର୍ଘଟଣାରେ ଜଣେ ପଥଚାରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଆରୋପରେ ଦୁଇ ଅଧିକାରୀଙ୍କୁ ଇସଲାମବାଦ ପୋଲିସ ଗିରଫ କରିଛି। ଏହି ଗିରଫଦାରୀ ଉପରେ ଭାରତରେ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ସିଡିଏକୁ ସମନ ଜାରି କରିଛି। ପାକିସ୍ତାନୀ ମିଡିଆର ରିପୋର୍ଟକୁ ଉଲ୍ଲେଖ କରି ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ସମକକ୍ଷ ସମ୍ମୁଖରେ କଡା ଆପତ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ, ଗିରଫଦାରୀ ସମ୍ବନ୍ଧରେ କୌଣସି ବି ମାମଲାରେ ସର୍ବ ପ୍ରଥମେ ସମ୍ବନ୍ଧିତ ଦୂତାବାସକୁ ସୂଚନା ଦେବା ଜରୁରୀ ହୋଇଥାଏ। ୧୯୬୧ରେ ଦୁଇ ସ୍ଵାଧୀନ ଦେଶ ମଧ୍ୟରେ ରାଷ୍ଟ୍ରଦୂତ ସମ୍ବନ୍ଧକୁ ନେଇ ଭିଏନା ରାଜିନାମା ହୋଇଥିଲା। ଏହି ରାଜିନାମା ଅନୁଯାୟୀ ରାଷ୍ଟ୍ରଦୂତଙ୍କୁ ସ୍ଵତନ୍ତ୍ର ଅଧିକାର ଦିଆଯାଇଛି। ଏଥିରେ ଉଲ୍ଲେଖ  ରହିଛି ଯେ, କୌଣସି ବି ଅନ୍ୟ ଦେଶର ରାଷ୍ଟ୍ରଦୂତଙ୍କୁ ଆଇନ ମାମଲାରେ ଗିରଫ କରାଯାଇ ପାରିବ ନାହିଁ। ନା ସେମାନଙ୍କୁ କୌଣସି ପ୍ରକାର ଅଟକ ରଖାଯାଇ ପାରିବ। ଏହା ସହିତ ରାଷ୍ଟ୍ରଦୂତଙ୍କ ଉପରେ କୌଣସି ପ୍ରକାରର କଷ୍ଟମ ଟ୍ୟାକ୍ସ ଲଗାଯାଇ ପାରିବ ନାହିଁ।

ଦୂତାବାସରେ ପଶି ପାରିବେ ନାହିଁ ପୋଲିସ

ଏହି ରାଜିନାମାର ଧାରା ୩୧ ଅନୁଯାୟୀ ଆୟୋଜକ ଦେଶର ପୋଲିସ ଅନ୍ୟ ଦେଶର ଦୂତାବାସରେ ପଶି ପାରିବ ନାହିଁ। ମାତ୍ର ଘରୋଇ ଦେଶକୁ ଉକ୍ତ ଦୂତାବାସର ସୁରକ୍ଷା ଦାୟିତ୍ଵ ନେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.