ବିକାଶ ଦୁବେ ଏନକାଉଣ୍ଟର: ଯାଞ୍ଚ ଲାଗି ଗଠିତ ଯୋଗୀଙ୍କ SITରେ ସିବିଆଇ ଦ୍ୱାରା ଚାର୍ଜସିଟ୍‌ ହୋଇଥିବା ଅଧିକାରୀ !

Published By : Prameya-News7 Bureau | July 14, 2020 IST

ଲକ୍ଷ୍ନୌ  ୧୪।୭: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ଯାଞ୍ଚ ଲାଗି ଉତ୍ତର ପ୍ରଦେଶ ଯୋଗୀ ସରକାର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିଛନ୍ତି। ୩ ସଦସୀୟ ଏହି ତଦନ୍ତକାରୀ ଦଳରେ ସମାନ ଧରଣର ଘଟଣାରେ ସିବିଆଇ ଦ୍ୱାରା ଚାର୍ଜସିଟ୍‌ ହୋଇଥିବା ଜଣେ ଅଧିକାରୀ ଥିବା ଏବେ ଜଣାପଡିଛି। ଏଥିରୁ ଦୁବେ ଏନକାଉଣ୍ଟରରେ ସାମିଲ ସମସ୍ତ ପୋଲିସ କର୍ମଚାରୀଙ୍କୁ କ୍ଲିନଚିଟ୍‌ ଦେବା ଏହି ଏସଆଇଟିର ଅସଲ ଉଦ୍ଦେଶ୍ୟ ବୋଲି ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

ଯେଉଁ ଅଫିସରଙ୍କୁ ନେଇ ଏବେ  ପ୍ରଶ୍ନ ଉଠିଛି ସେ ହେଉଛି ଡିଆଇଜି  ଜେ.ରବିନ୍ଦ୍ର ଗୌଡ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଭୁସରେଡ୍ଡୀ ଓ ଅତିରିକ୍ତ ପୋଲିସ ଡିଜି ହରିରାମ ଶର୍ମାଙ୍କୁ ନେଇ ଗଠିତ ଏସଆଇଟିରେ ଡିଆଜି ଗୌଡ ମଧ୍ୟ ଜଣେ ସଦସ୍ୟ। ଯାହାଙ୍କ ବିରୋଧରେ ଅତୀତରେ ବରେଲୀର ଯୁବ ଔଷଧ ବ୍ୟବସାୟୀଙ୍କୁ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ ସିବିଆଇକୁ ୨୦୦୭ ମସିହାରେ ଦିଆଯାଇଥିବା ବେଳେ ତାଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ହୋଇଥିଲା। 

ଡିଆଇଜି ଗୌଡଙ୍କ ବିରୋଧରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନକୁ ଅଖିଳେଶ ଯାଦବ ସରକାର ସ୍ଥଗିତ ରଖିଥିବା ବେଳେ ପରବର୍ତ୍ତି ଯୋଗୀ ସରକାର ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏଣୁ ଡିଆଇଜି ଗୌଡ ଆଜି ବି ପୋଲିସରେ ଡ୍ୟୁଟି କରୁଛନ୍ତି। ବରେଲୀ ମିଥ୍ୟା ଏନକାଉଣ୍ଟର ମାମଲାର ସିବିଆଇ ତଦନ୍ତ ଲାଗି ଆଲହାବାଦ ହାଇକୋର୍ଟ ୨୦୦୭ ମସିହାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ  ଦେଇଥିଲେ।  ତେବେ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଥିଲେ ମଧ୍ୟ ଏତେ ବର୍ଷରେ ସମସ୍ତେ ଭୁଲିଯାଇଛନ୍ତି। ହେଲେ ମଙ୍ଗଳବାର ଲକ୍ଷ୍ନୌର ଏକ ସ୍ଥାନୀୟ ସମ୍ବାଦପତ୍ର ଏ ନେଇ ପ୍ରଶ୍ନ ଉଠାଇବା ପରେ ଡିଆଇଜି ଗୌଡଙ୍କ ଆଡକୁ ସମସ୍ତଙ୍କ ଧ୍ୟାନ ଆକର୍ଷିତ ହୋଇଛି।

ଦୁବେ ମାମଲାରେ ଜୁଲାଇ ୩୧ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ଲାଗି ସରକାର ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅତିରିକ୍ତ ଶାସନ ସଚିବ ସ୍ତରର ଆଇଏଏସ, ୨ ଜଣ ଆଇପିଏସ୍  ଅଫିସରଙ୍କ ଏହି ତଦନ୍ତକାରୀ ଟିମ୍‌କୁ ନେଇ କାହାର ହେଲେ ଆପତ୍ତି କରିବାର ନାହିଁ। କାରଣ ଅତିରିକ୍ତ ଶାସନ ସଚିବଙ୍କ ସାଧୁତା ଓ ସଚ୍ଚୋଟତା ସମ୍ପର୍କରେ ସମସ୍ତେ ବେଶ୍ ଜାଣନ୍ତି। ହେଲେ ଏଥିରେ ଗୌଡ ସାମିଲ ହେବା ସମୀକରଣକୁ ବିଗାଡି ଦେଇଛି।

୨୦୦୫ ବ୍ୟାଚ୍‌ ଆଇପିଏସ୍ ଗୌଡ ଏଏସପି ଅବସ୍ଥାପିତ ଥିବା ବେଳେ  ୩୦ ଜୁନ୍ ୨୦୦୭ରେ ବରେଲୀରେ ଯୁବ ଔଷଧ ବ୍ୟବସାୟୀ ମୁକୁଲ ଗୁପ୍ତା (୨୦)ଙ୍କୁ ନିର୍ଦ୍ଦୋଷରେ ଏନକାଉଣ୍ଟର କରିଥିଲେ।  ପରେ ନିଜ ଦୋଷ ଘୋଡାଇବାକୁ ପୋଲିସ ମୁକୁଲଙ୍କୁ କୁଖ୍ୟାତ ମାଫିଆ ଡନ୍‌ ବିଭିନ୍ନ ଅପରାଧରେ ୱାଣ୍ଟେଡ ଥିବା ବେଳେ ପୋଲିସ ତାଙ୍କର ଏନକାଉଣ୍ଟର କରିଥିବା ପ୍ରମାଣିତ କରିବାକୁ ଉଦ୍ୟମ କରିଥିଲା। ଏଥିରୁ ପୋଲିସଠାରୁ କିଛି ଆଶା କରାଯାଇ ନ ପାରେ ବୋଲି ତାଙ୍କ ପିତା ବ୍ରିଜେନ୍ଦ୍ର ଗୁପ୍ତା ନିଶ୍ଚିତ ହେବା ପରେ କୋର୍ଟଙ୍କ ଶରଣାପନ୍ନ ହେବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।

ମାମଲାର ସିବିଆଇ ତଦନ୍ତ ହୋଇଥିବା ବେଳେ ଗୌଡଙ୍କ ସମେତ ୧୦ ପୋଲିସ କର୍ମଚାରୀଙ୍କ ବିରୋଧରେ କୋର୍ଟଙ୍କୁ ଚାର୍ଜସିଟ୍ ମଧ୍ୟ ଦେଇଥିଲେ। ଘଟଣାର ୭ ବର୍ଷ ପରେ କୋର୍ଟ ୨୬ ଅଗଷ୍ଟ ୨୦୧୪ରେ ଗୌଡଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ହେଲେ ପୋଲିସକୁ ଭୁଲ ପ୍ରମାଣିତ କରି ମୃତକଙ୍କ ଅଭିଭାବକ ଆଶ୍ୱସ୍ତ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ସଂରକ୍ଷଣରେ ଦୋଷୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏଥିରେ ତାଙ୍କୁ ପୁଣି ଏକ ସମାନ ମାମଲର ତଦନ୍ତ ଟିମ୍‌ରେ ସାମିଲ କରାଯିବା ଏବେ ସରକାରଙ୍କ ସଚ୍ଚୋଟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.