ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିହାରରୁ ସ୍ପେଶାଲ୍ ଲିଚୁ ନେଇ ଦିଲ୍ଲୀ ଆସିଥିବା ଅଧିକାରୀ କରୋନା ପଜିଟିଭ୍

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧/୦୬ : ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢି ବଢି ଚାଲିଛି | ସଂକ୍ରମଣ ମାମଲାରେ ବିହାର ମଧ୍ୟ ପଛରେ ନାହିଁ | ବିହାରରେ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୩୮୦ରେ ପହଞ୍ଚିଛି | ଏମାନଙ୍କ ମଧ୍ୟରୁ ୪ ହଜାର ୮୪୪ ଜଣ ମେ ୩ ତାରିଖ ପରେ ବାହାର ରାଜ୍ୟରୁ ବିହାରକୁ ଫେରିଛନ୍ତି | ବିହାର ମୁଜାଫରପୁରରେ କୃଷି ବିଭାଗର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଉକ୍ତ ଅଧିକାରୀ ଜଣଙ୍କ କିଛି ଦିନ ପୂର୍ବରୁ ସ୍ପେଶାଲ ଲିଚୁ ନେଇ ଦିଲ୍ଲୀ ସ୍ଥିତ ବିହାର ଭବନ ଯାଇଥିଲେ | ଏହି ଲିଚୁ ଉପହାର ସ୍ୱରୂପ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀମାନଙ୍କ ପାଇଁ ପଠାଯାଇଥିଲା | ମୁଜାଫରପୁର ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ବୟାନ ଜାରି କରାଯାଇଛି ଯେ ଅଧିକାରୀଙ୍କ କାମ କେବଳ ଲିଚୁ ପହଞ୍ଚାଇବା ଥିଲା | ଲିଚୁ ବିତରଣ ସହ ତାଙ୍କର କିଛି ସମ୍ପର୍କ ନଥିଲା |

ଏହି ମାମଲାରେ ମୁଜଫରପୁର ଜିଲ୍ଲା ଅଧିକାରୀ ଚନ୍ଦ୍ର ଶେଖର ପ୍ରସାଦ ସିଂହ କହିଛନ୍ତି ଯେ ଅଧିକାରୀ କେବଳ ଲିଚୁ ଟ୍ରକ ବିହାର ଭବନ ଯାଏଁ ପହଞ୍ଚିଲା ନା ନାହିଁ ତାହା ସୁନିଶ୍ଚିତ କରିବାକୁ ଯାଇଥିଲେ | ତାପରେ ସେ ନିଜର ଦୁଇ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ | ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଥିବା ଜଣାପଡିଛି | ସେହି ଆଧାରରେ ଅଧିକାରୀ ଜଣଙ୍କ ନିଜର ନମୁନା ପରୀକ୍ଷା କରାଇଥିଲେ ଏବଂ ନିଜେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା |

ଜିଲ୍ଲା ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ମୁଜାଫରପୁର କୃଷି ବିଭାଗ ଅଧିକାରୀ ଜୁନ ୯ ତାରିଖରେ ଟ୍ରେନରେ ଲିଚୁ ପ୍ୟାକେଟ ନେଇ ଦିଲ୍ଲୀ ସ୍ଥିତ ବିହାର ଭବନ ଯାଇଥିଲେ | ବିହାର ଭବନରେ କରୋନା ଗାଇଡଲାଇନ ପାଳନ କରି ଅଧିକାରୀ ନିଜ କୋଠରୀରେ ହିଁ ଥିଲେ | ଲିଚୁ ବିତରଣରେ ଅଧିକାରୀଙ୍କ କୌଣସି ଭୂମିକା ନଥିଲା | ବିତରଣ କାର୍ଯ୍ୟ ବିହାର ଭବନ ଟିମ ଦ୍ୱାରା କରାଯାଇଥିଲା | 

ସୂଚନାଯୋଗ୍ୟ ଯେ, ଖବର ଆସିଥିଲା କରୋନା ପଜିଟିଭ ସରକାରୀ ଅଧିକାରୀ ଲିଚୁ ବିତରଣ ପାଇଁ ଯାଇଥିଲେ | ବୟାନ ଜାରି କରି ଏହା ସ୍ପଷ୍ଟ କରାଯାଇଛି ଯେ ଉକ୍ତ ଅଧିକାରୀ କେବଳ ଲିଚୁ ପହଞ୍ଚାଇବାକୁ ଯାଇଥିଲେ, ବିତରଣ କରିବାକୁ ଯାଇନଥିଲେ | ଉକ୍ତ ଅଧିକାରୀଙ୍କୁ କୋଭିଡ କେୟାର ସେଣ୍ଟର ପଠାଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଧିକାରୀ ଜଣକ ଦିଲ୍ଲୀ ଟ୍ରେନରେ ଯାଇଥିଲେ କିନ୍ତୁ ଫ୍ଲାଇଟରେ ଫେରିଥିଲେ | ତେବେ ରାଜ୍ୟ ସରକାର ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଙ୍ଗ କରିବେ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.