ଶ୍ରୀଗଣେଶଙ୍କୁ ସିନ୍ଦୁର ମାଜଣା କରିବା ସହ କରନ୍ତୁ ଏହି ସବୁ କଥା, ପାଇବେ ସୁଫଳ

Published By : Prameya-News7 Bureau | September 13, 2018 IST

ହିନ୍ଦୁ ଦେବାଦେବୀଙ୍କ ମଧ୍ୟରୁ ଗଣେଶ ସମସ୍ତଙ୍କର ପ୍ରିୟ । ସେ ସବୁବେଳେ ଆମ ସହ ରହି ଆମ ଜୀବନରେ ଆସୁଥିବା ସମସ୍ୟାର ସମାଧାନ କରନ୍ତି ବୋଲି ଅନେକ ବିଶ୍ବାସ ରଖନ୍ତି । ଗଣେଶଙ୍କ ରହିଛି ଭିନ୍ନ ଭିନ୍ନ ନାଁ । ବିଘ୍ନବିନାଶକ, ସୁମୁଖ, ବିନାୟକ, ଲମ୍ବୋଦର ଆଦି ନାମରେ ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଗଣେଶଙ୍କୁ ସହଜରେ ପ୍ରସନ୍ନ କରିହୁଏ । ହିନ୍ଦୁମାନେ କିଛି ବି କାମ କରିବା ପୂର୍ବରୁ ଗଣେଶଙ୍କୁ ପୂଜା କରିଥାନ୍ତି । ସିଏ ସାଧାରଣ ପୂଜାଟିଏ ହେଉ କି ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପିବା । ସେ ସବୁଠି ପ୍ରଥମ ସ୍ଥାନ ପାଇଥାନ୍ତି । ବିଘ୍ନବିନାଶକ ଗଣେଶ ସବୁ ସମୟରେ ପ୍ରସ୍ତୁତ ଥାଆନ୍ତି ବି ଆର୍ଶୀବାଦ କରିବା ପାଇଁ । ଗଣେଶଙ୍କୁ ପ୍ରସନ୍ନ କରିବାକୁ ହେଲେ ପ୍ରଥମେ ଜାଣିବାକୁ ହେବ ତାଙ୍କୁ କଣ ସବୁ ଭଲଲାଗେ । ବୁଧବାର ଦିନ ଥାଳି ଭର୍ତ୍ତି ମୋଦକ ସହ ତାଙ୍କୁ ପୂଜା କରିବା ଦ୍ବାରା ତାଙ୍କୁ ପ୍ରସନ୍ନ କରିପାରିବେ । ଆପଣ ଜାଣନ୍ତି କି ଗଣେଶଙ୍କୁ ସିନ୍ଦୁର ବହୁତ ପସନ୍ଦ ବୋଲି । ଦେବତା ମାନଙ୍କ ମଧ୍ୟରେ ହନୁମାନ ଏବଂ ଭୈରବନାଥଙ୍କ ସହ ଗଣେଶଙ୍କୁ ମଧ୍ୟ ସିନ୍ଦୁର ପସନ୍ଦ । ଗଣେଶଙ୍କୁ ବୁଧବାର ଦିନ ସିନ୍ଦୁର ମାଜଣା କରିବା ଦ୍ବାରା ସେ ଆପଣଙ୍କର ସମସ୍ତ ଦୁଃଖ, କଷ୍ଟ, ପୀଡା ହରଣ କରିଥାନ୍ତି । ଫାଲଗୁନ ମାସର ହୋଲି ପରଦିନ ପ୍ରଭୁ ଗଣେଶଙ୍କୁ ସିନ୍ଦୁର ମାଜଣା କରିବା ଦ୍ବାରା ତାହା ଫଳପ୍ରଦ ହୋଇଥାଏ । ଯଦି ସେହିଦିନ ସିନ୍ଦୁର ଦିଆଯାଏ ତେବେ ଆପଣଙ୍କର ଶାରୀରିକ ପୀଡା ଦୂର ହୋଇଯାଇଥାଏ ବୋଲି ବିଶ୍ବାସ ରହିଛି । ସ୍ନାନ କରିବା ପରେ ହଳଦିଆ ବସ୍ତ୍ର ପରିଧାନ କରି ପ୍ରଭୁ ଗଣେଶଙ୍କୁ ସିନ୍ଦୁର ମାଜଣା କରିବା ସହ ଏହି ମନ୍ତ୍ର ଜପ କରିବା ଦ୍ବାରା ଫଳପ୍ରଦ ହୋଇଥାଏ । (ମନ୍ତ୍ର- ସିନ୍ଦୁରଂ ଶୋଭନଂ ରକ୍ତଂ ସୌଭାଗ୍ୟଂ ସୁଖବର୍ଦ୍ଧନମ୍ । ସୁଭଦଂ କାମଦଂ ଚୈବ ସିନ୍ଦୁରଂ ପ୍ରତିଗୃହ୍ୟତାମ୍ ।) ସିନ୍ଦୁର ସହ ଘିଅ କିମ୍ବା ଜସ୍ମିନ ତେଲ ମିଶାଇ ରୂପା ଏବଂ ସୁନା ପଇସା ଦ୍ବାରା ପ୍ରତ୍ୟେକ ଦିନ ଲଗାଇଲେ ସବୁ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ସିନ୍ଦୁର ବ୍ୟତୀତ ଅରଖ ଫୁଲ, ସଙ୍ଖା, କଦଳୀ, ଧଳା ଫୁଲ, ଦୁବ ଆଦି ଦେଇ ପ୍ରଭୁ ଗଣେଶଙ୍କୁ ପ୍ରସନ୍ନ କରାଯାଇପାରେ । ଧଳା ରଙ୍ଗର ଗଣେଶ ମୂର୍ତ୍ତି ଘରେ ରଖିବା ଦ୍ବାରା ଘରକୁ ସୁଖ, ଶାନ୍ତି, ସମୃଦ୍ଧି, ଧନ ଆସିଥାଏ ବୋଲି ବିଶ୍ବାସ ରହିଛି । ଘରେ ଫଟୋ ଲଗାଇବା ଦ୍ବାରା ମଧ୍ୟ ସୁଫଳ ମିଳିଥାଏ । ଗଣେଶ ମୂର୍ତ୍ତିକୁ ଏଭଳି ରଖନ୍ତୁ ଯେପରି ତାଙ୍କ ପଛପଟ ଘରର ବାହାର ପଟକୁ ରହୁଥିବ । ଘରର ପୂର୍ବ-ଉତ୍ତର କୋଣ ବା ଐଶାନ୍ୟ କୋଣରେ ପୂଜା ଘର ସ୍ଥାପନ କରି ଗଣେଶ ମୂର୍ତ୍ତି ରଖିବା ଭଲ । ଯଦି ଉତ୍ତର-ପୂର୍ବ କୋଣ ଉପଲବ୍ଧ ନାହିଁ ତେବେ ପ୍ରାର୍ଥନା କରିବା ସମୟରେ ଉତ୍ତର ଅଥବା ପୂର୍ବକୁ ସମ୍ମୁଖ କରି ମୂର୍ତ୍ତି ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.