OERCର ଅଜବ୍‌ ନିୟମ, ଓଡ଼ିଶାର ବିଜୁଳି, ଓଡ଼ିଶାବାସୀଙ୍କୁ ମହଙ୍ଗା ହେଲେ ଛତିଶଗଡ଼ିଆଙ୍କୁ ଶସ୍ତା

Published By : Prameya-News7 Bureau | June 02, 2021 IST

ଭୁବନେଶ୍ୱର, ୦୨/୦୬: ଓଡ଼ିଶାବାସୀଙ୍କୁ ଲୁଟ୍‌ । ରାଜ୍ୟବାସୀଙ୍କ ଉପରେ ବୋଝ ଥୋଇଲା ବେଳେ ଛତିଶଗଡ଼ିଆଙ୍କୁ ହାଲ୍‌କା କରୁଛି ବିଦ୍ୟୁତ୍‌ କମ୍ପାନୀ । ଏକ ପ୍ରକାର ଘରେ ତିଆରି କରି ଘର ଲୋକଙ୍କୁ ଅଧିକା ଦାମ୍‌ରେ ବିକ୍ରି କରୁଥିବା ବେଳେ ବାହାର ଲୋକଙ୍କୁ ଦାମ୍‌ କେମେଇ ବିକ୍ରି କରାଯାଉଛି । ଏସବୁ କାମ କରୁଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲାଟୋରୀ କମିସନ୍‌ ବା ଓଇଆର୍‌ସି ।

ସାରା ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଧୋକା ଦେବା ସହ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ଗୁଆ ଦିଆ ବନ୍ଧୁ କରିଛି ଓଇଆରସି । ଉତ୍ପାଦନ ଖର୍ଚ୍ଚ କମିଥିବାରୁ ଓଡିଶା ହାଇଡ୍ରୋପାୱାର କର୍ପୋରେସନ ଓ ଏଚପିସି, ଗତ ବର୍ଷ ଅପେକ୍ଷା ୨୦ ପଇସା କମରେ ଛତିଶଗଡ଼କୁ ଗ୍ରୀଡକୋ ଜରିଆରେ ଯୋଗାଇ ଦେଉଛି ବିଦ୍ୟୁତ । ଏହାର ଟାରିଫ୍‌ ଚାର୍ଟ ମିଳିବା ପରେ ସତ ଜଣାପଡିବା ନେଇ ଓଇଆଇସିର ବିଦ୍ୟୁତ ବିତରଣ କମ୍ପୀନୀ ପ୍ରେମ ପଦାରେ ପଡିବା ପରେ ଅସନ୍ତୋଷ ଆରମ୍ଭ ହେଲାଣି ।  

ଯେଉଁ ଛତିଶଗଡ଼ ମହାନଦୀକୁ ପାଣି ଛାଡୁନି ତାକୁ ପୁଣି କମ୍‌ ଦାମ୍‌ରେ ବିଦ୍ୟୁତ୍‌ ବିକ୍ରି ହେଉଛି । ଏବେ ମହାନଦୀ ଶୁଖିଲା, ହୀରାକୁଦ ଶୁଖିଲାଣି ସେହି ହୀରାକୁଦରୁ ଉତ୍ପାଦନ  ହେଉଥିବା ଜଳ ବିଦ୍ୟୁତଶକ୍ତିକୁ ଶସ୍ତାରେ ଛତିଶଗଡ଼କୁ ଯୋଗାଦିଆଯାଇଛି । ସେପୁଣି ସେତିକିବେଳେ ଯେତେବେଳେ ଓଡିଶାରେ ଚ‌‌ଳିତ ଆର୍ଥିକ ବର୍ଷରେ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବଢିଛି । ଯାହାର ମାଡ ସିଧାସଳଖ ଉପଭୋକ୍ତାଙ୍କ ଉପରେ ପଡିଛି । ଉତ୍ପାଦନ ଓ ବିତରଣ ଖର୍ଚ୍ଚ ବଢିଥିବାରୁ ଏପରି ନିଷ୍ପତ୍ତି ନେଇଥିବା ଓଇଆରସି ସଫେଇ ଦେଉଛି ।

ହେଲେ ଛତିଶଗଡକୁ ମାତ୍ରାଧିକ ଅନୁକମ୍ପା ଦେଖାଉଛି ଓଡିଶା ହାଇଡ୍ରୋପାୱାର କର୍ପୋରେସନ ବା ଓଏଚପିସି । ହୀରାକୁଦରୁ ଉତ୍ପାଦନ ହେଉଥିବା ବିଦ୍ୟୁତରୁ ବାର୍ଷିକ ୧୬  ମିଲିୟନ ୟୁନିଟ  ଛତିଶଗ଼ଡ ଷ୍ଟେଟ ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ ବା CSPDCL  ଯୋଗାଇ ଦିଆଯାଉଛି । ଗତ ବର୍ଷ ଛତିଶଗଡକୁ ୟୁନିଟ ପିଛା ୨ ଟଙ୍କାରେ ବିଦ୍ୟୁତ ଦିଆଯାଉଥିଲା । ଏବର୍ଷ ୨୦ ପଇସା କମେଇ ୧ ଟଙ୍କା ୮୦ ପଇସା କରାଯାଇଛି । ଏହା ଟାରିଫ ଚାଟ୍‌ରେ ଲେଖାହେଇଛି । ଚଳିତ ବର୍ଷ ଲକଡାଉନ କାରଣରୁ ଉତ୍ପାଦନ ଖର୍ଚ୍ଚ କମିଥିବାରୁ CSPDCL  କେନ୍ଦ୍ର ବିଦ୍ୟୁତ ନିୟାମକ ଆୟୋଗରେ CERC ରେ ଦର କମାଇବା ପାଇଁ ପ୍ରାର୍ଥନା କରିଥିଲା । ଦର କମାଇବା ପାଇଁ ଓଡିଶା ହାଇଡ୍ରୋପାୱାର କର୍ପୋରେସନକୁ CERC କହିଥିଲା । ଫଳରେ ଏହାକୁ ଆଧାର କରି ଦର କମାଯାଇଥିବା ସ୍ପଷ୍ଟ କରିଛି ଓଏଚପିସି । ଓଡିଶା ବିଜୁଳି ଓଡ଼ିଶାବାସୀଙ୍କ ପାଇଁ ମହଙ୍ଗା ଛତିଶଗଡ଼ ପାଇଁ ଶସ୍ତା । ଯାହାକୁ ନେଇ ତେଜିଛି ଅସନ୍ତୋଷ । ସିଇଆରସିଙ୍କ ତଥ୍ୟ ଅନୁସାରେ ଯଦି ଉତ୍ପାଦନ ଖର୍ଚ୍ଚ କମିଛି ତେବେ କାହା ସ୍ୱାର୍ଥରେ ଓଡ଼ିଶାରେ ବିଦ୍ୟୁତ ଦର ବଢିଛି ବୋଲି ପ୍ରଶ୍ନ ଉଠିଛି ।

ଓଡ଼ିଶାରୁ ବିଦ୍ୟୁତ ନେଇ ଛତିଶଗଡ କମର୍ସିଆଲ ବିତରଣ କରୁଛି ଏବଂ  ରାଜସ୍ବ ଆଦାୟ କରୁଛି। ହେଲେ ଏଠି ଉତ୍ପାଦନ ଓ ବିତରଣ ଖର୍ଚ୍ଚ ଆଳରେ ଦରବୃଦ୍ଧି କରାଯାଉଛି। ଓଇଆରସି ମିଛ କହି ଦରବଢାଇବା ଠିକ ନୁହେଁ ବୋଲି ଏବେ ସ୍ୱର ଉଠିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.