ବଢିବ ବିଦ୍ୟୁତ ଦର! ଆଜିଠୁ ଓଇଆରସିରେ ହେବ ଶୁଣାଣି, ଦର ବଢାଇବାକୁ ଗ୍ରୀଡକୋ, ଓପିଜିସି, ଓଏଚପିସିର ଦାବି
3/02/2020 at 7:17 AM

ଭୁବନେଶ୍ବର ୦୩।୦୨: ବଢ଼ିବ ବିଦ୍ୟୁତ ଦର । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ସୋମବାର ଠାରୁ ଓଇଆରସି ବିଦ୍ୟୁତ ଦର ବଢ଼ିବା ନେଇ ଶୁଣାଣି ଆରମ୍ଭ କରିବ । ଏଥର ଗ୍ରୀଡ୍କୋ ବିଦ୍ୟୁତ ଦର ୟୁନିଟ ପିଛା ଏକ ଟଙ୍କା ବଢ଼ାଇବା ପାଇଁ ଦାବି କରୁଛି । ଓଏଚ୍ପିସି ୟୁନିଟ ପିଛା ୫୫ ପଇସା, ଓପିଜିସି ୟୁନିଟ ପିଛା ୧ଟଙ୍କା ବଢ଼ାଇବାକୁ ଓଇଆରସିକୁ ପ୍ରସ୍ତାବ ଦେଇଛନ୍ତି ।
ଶକ୍ତି ବିଭାଗ ପାୱାର କଟ୍ରୁ ନିସ୍ତାର ପାଇଁ ବାହାରୁ ମଧ୍ୟ ବିଦ୍ୟୁତ କିଣିଛି । କିନ୍ତୁ ଗ୍ରୀଡ୍କୋ ଶସ୍ତାରେ ମିଳୁଥିବା କମ୍ପାନୀଠାରୁ ନ କିଣି ୟୁନିଟ ପିଛା ଅଧିକ ଟଙ୍କା ପଡୁଥିବା କମ୍ପାନୀ ଠାରୁ ବିଜୁଳି କିଣୁଥିବା ଅଭିଯୋଗ ହୋଇଛି । ତେଣୁ ଏବାବଦରେ ଯେଉଁ ଅର୍ଥ ଗ୍ରୀଡକୋ ବ୍ୟୟ କରିଛି ସେ ଅର୍ଥ ଏବେ ବିଦ୍ୟୁତ ଗ୍ରହକଙ୍କ ମୁଣ୍ଡରେ ଥୋପିବାକୁ ଯୋଜନା କରିଛି ।
ରାଜ୍ୟରେ ୨ ବର୍ଷ ହେଲା ବିଦ୍ୟୁତ୍ ଦର ବଢ଼ିନି। ପୂର୍ବରୁ ଓଇଆରସିର ଶୁଣାଣି ବେଳେ ବିଭିନ୍ନ ସଂଗଠନର ବିରୋଧ ଏବଂ ପୂର୍ବତନ ଇଞ୍ଜିନିୟର ମାନଙ୍କ ବଳିଷ୍ଠ ଯୁକ୍ତି ଯୋଗୁଁ ବିଦ୍ୟୁତ ଦର ବଢ଼ିପାରିନାହିଁ । ସେଥିପାଇଁ ଏଥର ବିନା ନୋଟିସରେ ସାଉଥକୋ, ୱୋସ୍କୋ, ନେସ୍କୋ ଶୁଣାଣି କରିବେ । ସାଉଥକୋର ଶୁଣାଣି ଜୟପୁରରେ, ୱୋସ୍କୋର ଶୁଣାଣି ବୁର୍ଲା ଏବଂ ନେସ୍କୋର ଶୁଣାଣି ବୁର୍ଲାରେ କରାଯିବ ।
ତେବେ ସେହି ଅଞ୍ଚଳରେ ପୂର୍ବରୁ ଶୁଣାଣି ହୋଇନଥିବାରୁ ସେଠାକାର ଲୋକେ ଏଥିରେ ଭାଗ ନେବା ପାଇଁ ଆବେଦନ କରିନାହାନ୍ତି । ଏପଟେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ବାବଦରେ ୧୩ ଶହ କୋଟି ଟଙ୍କା ଗ୍ରାହକଙ୍କ ଠାରୁ ଆଦାୟ କରୁଛନ୍ତି । ଏହା ବଦଳରେ ଗ୍ରାହକଙ୍କୁ କିଛି ୟୁନିଟ ଛାଡ କରୁନାହାନ୍ତି । ଏବେ ପ୍ରତି ଗ୍ରାହକଙ୍କୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ଼ କରିବାକୁ ଦାବି କରିଛି ବିଦ୍ୟୁତ ଉପଭୋକ୍ତ ସଂଘ ।