ବାତ୍ୟା 'ଜଓ୍ଵାଦ'କୁ ନେଇ ଜୋରଦାର ପ୍ରସ୍ତୁତି, ପୁରୀରେ ପହଞ୍ଚିଲେ ଓଡ୍ରାଫ ଓ ଏନଡିଆରଏଫ ଟିମ୍

Published By : Prameya-News7 Bureau | December 03, 2021 IST

ପୁରୀ ୦୩।୧୨: ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟା ଜୱାଦକୁ ନେଇ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଛି।  ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଓସୱାନ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଥିବା ୧୭୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା  ଓ ପ୍ରାୟ ୪୦୦ଟି ସ୍କୁଲ ଓ କମ୍ୟୁନିଟ ହଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ସମସ୍ତ ଆଶ୍ରୟସ୍ଥଳୀରେ ସାନିଟାଇଜର, ମାସ୍କ, ପାନୀୟ ଜଳ, ଆଲୋକ ଓ ଜେନେରେଟର ବ୍ୟବସ୍ଥା କରାଯାଇଛି।‌ ଚୁଡା, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି।

ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ  ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ  ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ରବିବାର ଛୁଟି ମଧ୍ୟ ବାତିଲ କରାଯାଇଛି। ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ । ଜିଲ୍ଲା ନିୟନ୍ତ୍ରଣ କକ୍ଷର ନମ୍ବର ହେଉଛି - ୦୬୭୫୨-୨୨୩୨୩୭।

କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ, କଣାସର ୧୫୨ ଜଣ ଆସନ୍ନା ପ୍ରସବା ମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି। ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଓ ଯତ୍ନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ। ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନୀୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଆଜିଠାରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜିଲ୍ଲାର ୨୫ ହଜାର ହେକ୍ଟର ଜମିରୁ ଅମଳ ଶସ୍ୟକୁ କ୍ଷେତରୁ ନେଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆବଶ୍ୟକ ପଡିଲେ ଧାନ ସଂଗ୍ରହ କେନ୍ଦ୍ରରେ ଅମଳ ଧାନ ରଖାଯିବ। ଏଥିପାଇଁ ଆବଶ୍ୟକୀୟ ପଲିଥିନ ରଖିବା ପାଇଁ ନିୟନ୍ତ୍ରଣ ବଜାର କମିଟିକୁ କୁହାଯାଇଛି। ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ  ଅଧିକାରୀ ମାନଙ୍କୁ କୁହାଯାଇଛି। ଖୁବ୍ ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ମାଛଧରା ଡଙ୍ଗା ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମତ୍ସଜିବୀ ମାନଙ୍କୁ ସଚେତନ କରିବା ପାଇଁ ବିଡିଓ ମାନଙ୍କୁ ପରାମର୍ଶ ଦିଆଯାଇଛି।

ଏଥିସହ ୨୦ ଜଣିଆ ଗୋଟିଏ ଓଡ୍ରାଫ ଓ ୩୨ ଜଣିଆ ଗୋଟିଏ ଏନଡିଆରଏଫ୍ ଓ ୬ ଟି ଅଗ୍ନିଶମ ଦଳ ଜିଲ୍ଲାରେ ଆସି ପହଞ୍ଚିଛନ୍ତି । ସେହିପରି ବାତ୍ୟା ପ୍ରଭାବରେ ଶ୍ରୀମନ୍ଦିରରେ ନୀତି କାନ୍ତି ଯେଭଳି ପ୍ରଭାବିତ ନ ହେବ ସେନେଇ ପାଳିଆ ସେବାୟତ, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା ପରେ ସେବାୟତ ମାନଙ୍କ ପ୍ରତିଶୃତି ବିଘ୍ନ ହେବ ନାହିଁ ମହାପ୍ରଭୁଙ୍କ ସେବା ନୀତି।‌ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.