ସଂକ୍ରମଣରୁ ବର୍ତ୍ତିବାକୁ ଚାହୁଁଛନ୍ତି ! ତ ଗ୍ରୀଷ୍ମରେ ମାଛିମୁକ୍ତ କରନ୍ତୁ ଘର
31/05/2019 at 5:17 PM

ଗ୍ରୀଷ୍ମ ଋତୁ ନିଶ୍ଟିତ ଭାବେ କଷ୍ଟପ୍ରଦ। ଅସହ୍ୟ ତାତି ସାଙ୍ଗକୁ ମସା ମାଛିଙ୍କ ପ୍ରାଦୁର୍ଭାବ ଲୋକଙ୍କ ଜୀବନ ଦୁର୍ବିସହ କରିପକାନ୍ତି। ପରିବେଶରେ ଉଷ୍ମତା ବୃଦ୍ଧି ସହ ଏଭଳି କୀଟଙ୍କ ବଂଶବୃଦ୍ଧି ହୋଇଥାଏ । ଯେଉଁମାନଙ୍କ ଦ୍ବାରା ରୋଗ ବ୍ୟାପୀବାର ଅନେକ ସମ୍ଭାବନା ମଧ୍ୟ ଥାଏ। ଏଣୁ ଗ୍ରୀଷ୍ମ ଓ ଆଦ୍ୟ ବର୍ଷାଋତୁରେ ହେବାକୁ ଥିବା ରୋଗ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଘରକୁ ମସା ମାଛି ମୁକ୍ତ କରିବା ନିତ୍ୟାନ୍ତ ଆବଶ୍ୟକ। ତେବେ ଘରକୁ କିପରି ମାଛି ମୁକ୍ତ କରିହେବ ଆସନ୍ତୁ ଜାଣିବା।
ଖରାଦିନେ ମାଛି ଯୋଗୁ ବିଭିନ୍ନ ରୋଗ ସଂକ୍ରମଣ ହୋଇଥାଏ। ଡାୟରିଆ, କୋଲେରା ଭଳି ରୋଗ ସଂକ୍ରମଣ କେବେ କେବେ ପ୍ରାଣ ଘାତକ ମଧ୍ୟ ହୋଇଥାଏ । ଏଭଳି ରୋଗର ମୁଖ୍ୟ ବାହକ ହେଉଛନ୍ତି ମାଛି। ବିଭିନ୍ନ ସ୍ଥାନରେ ବସି ଖାଦ୍ୟ ପଦାର୍ଥକୁ ସଂକ୍ରମିତ କରନ୍ତି। ଏଭଳି ଖାଦ୍ୟ ଖାଇ ଲୋକେ ଅସୁସ୍ଥ ହେବା ସାଧାରଣ କଥା। ତେବେ ପରିବେଶକୁ ମାଛି ମୁକ୍ତ କରିବା ବିଶେଷ କଷ୍ଟକର ନୁହେଁ । ଏଥିପାଇଁ କୀଟନାଶକ ଔଷଧର ମଧ୍ୟ ଆବଶ୍ୟକତା ନାହିଁ । ଘରେ ବ୍ୟବହୃତ ହେଉଥିବା କିଛି ଠାକୁର ଘର ଓ ରୋଷେଇ ଘର ଉପଯୋଗରୁ ଘରକୁ ମାଛିମୁକ୍ତ କରାଯାଇପାରେ।
ଠାକୁରଙ୍କ ଘରେ ଆରତୀ ପାଇଁ ଜଳା ଯାଉଥିବା କର୍ପୁର ଦ୍ବାରା ଘରକୁ ମାଛି ମୁକ୍ତ କରାଯାଇପାରେ। କିଛି ଅଧିକ କର୍ପୁର ଜଳାଇ ସବୁ ଘରେ ବୁଲେଇ ଦେଲେ କର୍ପୁର ବାସ୍ନାରେ ମାଛି ଘରୁ ବାହାରି ଯାଆନ୍ତି। ସେହିପରି ଡାଲଚିନକୁ ଘୋରି ସେହି ପାଣି ଘରେ ଛିଞ୍ଚିଦେଲେ ମଧ୍ୟ ମାଛି ରହନ୍ତି ନାହିଁ । ଏଣୁ ପରିବେଶକୁ ମାଛିଙ୍କ ଉପଦ୍ରବର ରକ୍ଷା କରାଯାଇପାରେ। ଏହା ଛଡା ଘରେ ନୀଳିଗି ତୈଳ ସିଞ୍ଚନ କଲେ ମଧ୍ୟ ମାଛି ଘରେ ପଶନ୍ତି ନାହିଁ । ଘରେ ଲବଙ୍ଗ ତେଲ ପାଣିରେ ମିସାଇ ସିଞ୍ଚନ କଲେ ମଧ୍ୟ ମାଛି ରହନ୍ତିନି।