ରେଳ ଧାରଣାକୁ ଆତ୍ମହତ୍ୟା ପାଇଁ ଯାଇଥିଲେ ରିତୁ: ମୃତଦେହ ଦେଖି ବଦଳିଗଲା ମନ, ଅଜଣା ଲୋକଙ୍କ କରନ୍ତି ଅନ୍ତିମ ସଂସ୍କାର, ଏବେ ଯାଏଁ କଲେଣି ୬୨୨ ଶବଦାହ

Published By : Prameya-News7 Bureau | September 21, 2021 IST

ଭୁବନେଶ୍ୱର ୨୧/୦୯ : ଭୁବନେଶ୍ୱରର ବାସିନ୍ଦା ରିତୁ ରାନୀ ସାସନଲ ଗତ ୮ ବର୍ଷ ଧରି ରେଲୱେ ଟ୍ରାକରେ ଆତ୍ମହତ୍ୟା କରୁଥିବା, ଵୃଦ୍ଧାଶ୍ରମ, ଏକା ରହୁଥିବା ଓ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଶବଦାହ କରିଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬୨୨ ମୃତଦେହକୁ ଶବଦାହ କରିଛନ୍ତି। ସେ ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ଯିଏକି ଏଭଳି କାମ କରି ନିଜ ପରିବାର ଚଳାନ୍ତି।

ଆରମ୍ଭରେ ଲୋକେ ତାଙ୍କୁ ଏହି କାମ ଅପମାନିତ କରୁଥିଲେ। କିନ୍ତୁ ତଥାପି ସେ ନିଜ କାମ ଜାରି ରଖିଥିଲେ ଏବଂ ଆଜି ତାଙ୍କୁ ଏହି ସମ୍ମାନ ମିଳୁଛି। ଯେଉଁମାନଙ୍କର କେହି ସମ୍ପର୍କୀୟ ନାହାଁନ୍ତି, ରେଳ ଟ୍ରାକରୁ ମିଳୁଥିବା ଶବ ଯାହାର ପରିଚୟ ମିଳିନଥାଏ, ସେମାନଙ୍କ ଶବଦାହ ସେ ନିଜ ଖର୍ଚ୍ଚରେ କରିଥାନ୍ତି। ଏହି ମହତ କାମ ପଛରେ ତାଙ୍କ ଉଦ୍ଦେଶ୍ୟ ମୃତକଙ୍କ ମୁକ୍ତି। ଏହା ବ୍ୟତୀତ ରିତୁ ପ୍ରତିବର୍ଷ ପିତୃ ପକ୍ଷ ସମୟରେ ସମସ୍ତ ମୃତ ଶରୀରର ମୁକ୍ତି ଓ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି।

ଆଠ ବର୍ଷ ପୂର୍ବେ ସ୍ୱାମୀଙ୍କଠାରୁ ବିବାଦ ଏବଂ ଅଲଗା ହେବା ପରେ ରିତୁ ରାନୀ (୪୨) ନିଜ ଜୀବନକୁ ଶେଷ କରିବା ପାଇଁ ଭୁଲ ପଦକ୍ଷେପ ନେଇ ଆତ୍ମହତ୍ୟା କରିବାକୁ ଯାଉଥିଲେ। କିନ୍ତୁ ରେଲୱେ ଟ୍ରାକ ପାର୍ଶ୍ୱରେ ଏକ ମୃତଦେହ ଦେଖିବା ପରେ ସେ ନିଜ ମତ ବଦଳାଇଲେ। ସେ ଦେଖିଲେ ଯେ ମୃତଦେହକୁ କେହି ସ୍ପର୍ଶ କରୁନାହାଁନ୍ତି କିମ୍ବା ଏହାର ପରିଚୟ ମଧ୍ୟ ହୋଇପାରୁନାହିଁ।

{"id":515465,"width":560,"height":560,"sizeSlug":"full","linkDestination":"none"}

ଏହିପରି ଅନେକ ମୃତଦେହ ମିଳିଥିଲା, ଯାହାର ଶେଷ ରୀତିନୀତି ସପ୍ତାହେ ଯାଏଁ କରାଯାଇ ନଥିଲା। ତା’ପରେ ରିତୁ ଅନୁଭବ କଲେ ଯେ, ଏପରି ଅଜଣା ଲୋକଙ୍କ ଅନ୍ତିମ ସଂସ୍କାର ହୋଇପାରୁନଥିବ। ସେଥିପାଇଁ ଏହା ଉପରେ କାମ କରୁଥିବା ଏକ ସଂସ୍ଥାରେ ସାମିଲ ହେଲେ ଓ ଆତ୍ମହତ୍ୟା କରିବା ଚିନ୍ତା ପରିତ୍ୟାଗ କରିଥିଲେ।

୨୦୧୯ ରୁ ସେ ଏହି ସଂସ୍ଥା ଠାରୁ ଅଲଗା ହୋଇ ନିଜେ ଏହି କାମ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସହରରେ କୌଣସି ଅଜଣା ବ୍ୟକ୍ତି, ଏକା ରହୁଥିବା କିମ୍ବା ପୋଲିସ୍ ସମ୍ବନ୍ଧୀୟ ମାମଲା ଥିଲେ ରିତୁଙ୍କୁ ଶେଷ ରୀତିନୀତି ପାଇଁ ଡକାଯାଇଥାଏ। କିଏ ରାତି ୨ ଟାରେ ଡାକୁ କି ସକାଳ ୬ ଟାରେ ଡାକୁ ସେ ମୃତଦେହ ଉଠାଇବାକୁ ଯାଆନ୍ତି। ଏହି ସେବା କାର୍ଯ୍ୟରେ ଜଡିତ ଥିବାରୁ ତାଙ୍କୁ ସହରର ବିଭିନ୍ନ ସଂସ୍ଥା ତରଫରୁ ସମ୍ମାନିତ ମଧ୍ୟ କରାଯାଉଛି।

ଏହା ପରେ, ଧୀରେ ଧୀରେ ଆଖପାଖ ଏବଂ ପଡୋଶୀ ଲୋକଙ୍କ ମନୋଭାବ ମଧ୍ୟ ବଦଳିବାକୁ ଲାଗିଲା। ବେଳେବେଳେ ପୋଲିସ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ୫୦୦-୧୦୦୦ ଟଙ୍କା ଦିଆଯାଏ। ସେତିକି ଟଙ୍କାରେ ଘର ଚଳେ। ସେ କହିଛନ୍ତି ଯେ ତାଙ୍କ ସାନ ଝିଅ ମଧ୍ୟ ବେଳେବେଳେ ତାଙ୍କ ସହ ଶବଦାହ ପାଇଁ ଯାଏ। ଉଭୟ ଝିଅ କୁହନ୍ତି ଯେ ଆମେ ଆମ ମା ପାଇଁ ଗର୍ବିତ ଯେ ସେ ଏପରି କାମ କରୁଛନ୍ତି, ଯେଉଁଠାକୁ ମହିଳାମାନେ ଆସିବାକୁ ମଧ୍ୟ ଭାବି ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.