ଭ୍ୟାକସିନେସନ ଡେ ଥ୍ରୀ : ୧୯୨ ସେସନରେ ହେବ ଟିକାକରଣ, ଆଜି ପହଞ୍ଚିବ ଆଉ ୩ ଲକ୍ଷ ୩୪ ହଜାର ୫ଶହ ‘କୋଭିସିଲ୍ଡ’ ଡୋଜ୍

Published By : Prameya-News7 Bureau | January 19, 2021 IST

ଭୁବନେଶ୍ୱର ୧୯।୦୧: ଭ୍ୟାକ୍ ସିନେସନ ଡେ ଥ୍ରୀ । ଆଜି ତୃତୀୟ ଦିନରେ ଟିକା ନେବେ ଆଗ ଧାଡିର କରୋନା ଯୋଦ୍ଧା । ଗୋଟିଏ ଦିନର ବ୍ୟବଧାନ ପରେ ସୋମବାର ହୋଇଥିବା  ଦ୍ବିତୀୟ ଦିନରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ସେହିପରି ଆଜି ‘କୋଭିସିଲ୍ଡ’ର ୩ ଲକ୍ଷ ୩୪ହଜାର ୫ଶହ ଡୋଜ୍ ରାଜ୍ୟକୁ ଆସିବ ବୋଲି ସୂଚନା ମିଳିଛି ।  

ଦ୍ବିତୀୟ ଦିନରେ ସମୁଦାୟ ୩୧,୯୦୨ଜଣଙ୍କୁ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ମୋଟ ୩୨ ହଜାର ୫୨୬ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଅର୍ଥାତ୍ ସମଗ୍ର ରାଜ୍ୟରେ ୧୦୨ ପ୍ରତିଶତ ଟିକାଦାନ ହୋଇଛି । ୧୭ ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାଦାନ କରାଯାଇଛି। କେନ୍ଦ୍ରାପଡ଼ରେ ସର୍ବାଧିକ ୧୬୩ ପ୍ରତିଶତ ଟିକାଦାନ ହୋଇଛି। ପ୍ରଥମ ଦିନରେ ୧୬୧ ସେସନ୍ ରେ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଟିକାଦାନ ପାଇଁ ୫ଟି ସେସନ୍ ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସେସନ୍ ଆୟୋଜିତ ହୋଇଥିଲା।

ପୂର୍ବରୁ ଗୋଟିଏ କେନ୍ଦ୍ରରେ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ଏବେ ମେଡିକାଲ କଲେଜରେ ଗୋଟିଏ ସେସନ୍ ରେ ୨ଶହ ଜଣଙ୍କୁ ଟିକା ଦିଆଯାଉଛି । ରାଜଧାନୀରେ ୨୮୬୪ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୯୪୭ ଜଣ ଟିକା ନେଇଛନ୍ତି। ଭୁବନେଶ୍ବରରେ କେବଳ ‘କୋଭାକ୍ସିନ୍’ ଟିକା ଦିଆଯାଇଛି। ସେପଟେ ଆଜି ‘କୋଭିସିଲ୍ଡ’ର ୩ ଲକ୍ଷ ୩୪ହଜାର ୫ଶହ ଡୋଜ୍ ରାଜ୍ୟକୁ ଆସିବ ବୋଲି ସୂଚନା ମିଳିଛି। ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭୭୭ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପର୍ଯ୍ୟାୟରେ ଟିକାଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.