Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

SBI ରିପୋର୍ଟ : କରୋନା ପ୍ରହାରରେ ରାଜ୍ୟ ଅର୍ଥନୀତି ଅବସ୍ଥା ସାଂଘାତିକ, ମୁଣ୍ଡପିଛା ୧୪,୭୪୫ କ୍ଷତି ସହିବେ ଓଡିଆ, ରାଜ୍ୟ ହରାଇବ ୬୮ହଜାର କୋଟି

18/08/2020 at 10:04 AM

ଭୁବନେଶ୍ବର ୧୮।୮: ରାଜ୍ୟ ଅର୍ଥନୀତି ପାଖାପାଖି ୧୨ ପ୍ରତିଶତ ଖସିଯିବ । ମୁଣ୍ଡପିଛା ଆୟ ଯେତିକି ଅଛି, ସେଥିରୁ ୧୪ ପ୍ରତିଶତ ଉଭାନ ହୋଇଯିବ । ଆର୍ଥିକ ଚାପ ଯୋଗୁଁ ଅଧିକ ୭୪ ହଜାର ଲୋକଙ୍କ ପ୍ରାଣ ଯିବ। କରୋନା ଏମିତି ମୋଡ଼ି ମକଚି ଦେବ ଓଡ଼ିଶାର ସାମଗ୍ରିକ ଜନ ଜୀବନକୁ । ଏଭଳି ଆକଳନ କରିଛି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ) ।

ବ୍ୟାଙ୍କର ସଦ୍ୟତମ ଇକୋରାପ୍‌ ରିପୋର୍ଟ ଦର୍ଶାଉଛି, ୨୦୨୦-୨୧ରେ ଓଡ଼ିଶାର ଜିଏସ୍‌ଡିପି ୧୧.୯% ଖସିଯିବ । ୬୮,୩୦୬ କୋଟି ଟଙ୍କା କ୍ଷତି ସହିବ ରାଜ୍ୟ ଅର୍ଥନୀତି । ୨୦୧୯-୨୦ରେ ଓଡ଼ିଶା ଜିଏସ୍‌ଡିପି ୭.୬% ବୃଦ୍ଧି ଘଟି ୫,୩୩,୮୨୨ କୋଟି ଟଙ୍କାରେ ପହଞ୍ଚିଥିଲା । ଏ ବର୍ଷ ରାଜ୍ୟ ଅର୍ଥନୀତିରେ ୧୧.୭% ଅଭିବୃଦ୍ଧି ଘଟି ଜିଏସ୍‌ଡିପି ୫,୯୬,୨୮୦ କୋଟି ହେବ ବୋଲି ବଜେଟ୍‌ରେ ଆକଳନ କରିଥିଲେ ରାଜ୍ୟ ସରକାର । ବଢ଼ିବା ବଦଳରେ ଗତବର୍ଷ ତୁଳନାରେ ଖସିଯିବ ଘରୋଇ ଉତ୍ପାଦ ।

ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୧୪,୭୪୫ କୋଟି ଟଙ୍କା କମିଯିବ । ଅର୍ଥାତ୍‌ ସେମାନଙ୍କ ମୁଣ୍ଡପିଛା ଆୟ ବାର୍ଷିକ ୮୬,୮୪୨ ଟଙ୍କାକୁ ଖସିଆସିବ । ପୂର୍ବ ଆର୍ଥିକ ବର୍ଷରେ ଓଡ଼ିଆଙ୍କ ମୁଣ୍ଡପିଛା ଆୟ ଥିଲା ୧,୦୧,୫୮୭ ଟଙ୍କା ।
ଇକୋରାପ୍‌ ରିପୋର୍ଟ ମୁତାବକ, ଅର୍ଥନୀତି ଖସିବା ଯୋଗୁ ରାଜ୍ୟର ମୃତ୍ୟୁହାର ବି ଢେର ବଢ଼ିଯିବ । ୨୦୧୮ରେ ଓଡ଼ିଶାର ମୃତ୍ୟୁହାର ପ୍ରତି ୧,୦୦୦ ଲୋକରେ ୭.୩ ଥିଲା ।

ଏବେ ରାଜ୍ୟର କରୋନାଜନିତ ମୃତ୍ୟୁହାର ପ୍ରତି ଏକ ହଜାରରେ ୦.୦୭ଫ । ଅର୍ଥାତ୍‌ ୧ ଲକ୍ଷରେ ୭ ଜଣ ମରିବେ କରୋନା ଯୋଗୁଁ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଅର୍ଥନୀତି ଖସିବା କାରଣରୁ ଅଣ-କରୋନା ମୃତ୍ୟୁହାର ପ୍ରତି ୧୦୦୦ରେ ଆଉ ୧.୭୩ ବଢ଼ିଯିବ । ଆୟ ସଙ୍କୁଚିତ ଓ ରୋଜଗାର ଗାଏବ ହୋଇଯିବା ପରେ ଅବସାଦ,ମେଡିକାଲସେବାରୁ ବଞ୍ଚିତ ତଥା ଅନ୍ୟ କାରଣରୁ ମୃତ୍ୟୁହାର ଏମିତି ବଢ଼ିଯିବ । କରୋନା ପରବର୍ତ୍ତୀ ସମୟରେ ଓଡ଼ିଶାର ମୋଟ ମୃତ୍ୟୁହାର ପ୍ରତି ୧ ହଜାର ଲୋକରେ ୯.୧୦କୁ ବଢ଼ିଯିବ । ଓଡ଼ିଶାର ଏବେକାର ଜନସଂଖ୍ୟାକୁ ହିସାବ କଲେ, କରୋନା ପରବର୍ତ୍ତୀ ସମୟରେ ଅଣ-କରୋନା ଆର୍ଥିକ ଚାପରୁ ରାଜ୍ୟରେ ଅତିରିକ୍ତ ୭୪,୦୦୦ ଲୋକଙ୍କ ଜୀବନ ଚାଲିଯିବ । ଏବେ ରାଜ୍ୟରେ ବାର୍ଷିକ ମୃତ୍ୟୁହାର ପାଖାପାଖି ୩ ଲକ୍ଷ ୧୩ ହଜାର ରହିଛି ।

ରିପୋର୍ଟ ଦର୍ଶାଇଛି, ଓଡ଼ିଶାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଖିଦୃଶିଆ ସ୍ୱାସ୍ଥ୍ୟସେବା ସୁବିଧା ବି ନାହିଁ । ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟରେ ମାତ୍ର ୧୩ଟି ଆଇସୋଲେସନ୍‌ ବେଡ୍‌ ରହିଛି । ଏହା ମହାରାଷ୍ଟ୍ର(୨୫୦), କର୍ଣ୍ଣାଟକ(୨୯୮), ଦିଲ୍ଲୀ(୧୨୯), ହରିୟାଣା(୧୨୨) ତୁଳନାରେ ଢେର୍‌ କମ୍‌ ।

କରୋନା ମହାମାରୀ ଓ ଏହାଜନିତ ଲକ୍‌ଡାଉନ୍‌ ବହୁ ଲୋକଙ୍କୁ ରୋଜଗାରଶୂନ୍ୟ କରିଛି । ସହରରେ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଗାଁମୁହାଁ ହୋଇଛନ୍ତି । ଆର୍ଥିକ କାର୍ଯ୍ୟକଳାପ, କାରବାର ଠପ୍‌ ହୋଇଯାଇଛି । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ବି ମାଡ଼ ଖାଇଛି । ଫଳରେ ଲୋକମାନଙ୍କର ଆୟ କମିଯାଇଛି । ଏହା ରାଜ୍ୟ ଅର୍ଥନୀତି ଉପରେ ଢେର୍‌ ଚାପ ପକାଇଛି ।

କେବଳ ସେତିକି ନୁହେଁ ପର୍ଯ୍ୟଟନ, ପରିବହନ ଭଳି ସେବା କ୍ଷେତ୍ର କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ରାଜ୍ୟର ନିଜସ୍ୱ ଟିକସ ଆୟରୁ ଜଳଜଳ ଦିଶୁଛି । ୨୦୨୦-୨୧ ଏପ୍ରିଲ-ଜୁଲାଇ ଅବଧିରେ ଓଡ଼ିଶାର ନିଜସ୍ୱ ଟିକସ ଆୟ ୨୭% ଖସିଯାଇଛି । ଏହି ଆୟରୁ ରାଜକୋଷକୁ ୪,୮୯୧ କୋଟି ଟଙ୍କା ଆସିଛି । ପୂର୍ବ ଆର୍ଥିକ ବର୍ଷ ଏ ୪ ମାସରେ ନିଜସ୍ୱ ଟିକସ ଆୟରୁ ୬,୭୧୦ କୋଟି ଟଙ୍କା ପାଇଥିଲା ଓଡ଼ିଶା।

   Related Posts