ଓଡିଶା: ବସ ମାଲିକଙ୍କର କଟାଗଲା ୬ ଲକ୍ଷ ୭୨ ହଜାର ଟଙ୍କାର ଚାଲାଣ, ଓଡିଶାରେ ଏ ପର୍ଯ୍ୟନ୍ତର ସବୁଠୁ ବଡ ଚାଲାଣ

Published By : Prameya-News7 Bureau | March 05, 2020 IST

ଭୁବନେଶ୍ଵର ୦୫।୦୩- ଓଡିଶାର ଏକ ବସ ମାଲିକଙ୍କଠୁ ନୂତନ ମୋଟର ଯାନ ଆଇନ ଉଲ୍ଲଂଘନକୁ ନେଇ ଗୁରୁବାର ୬ ଲକ୍ଷ ୭୨ ହଜାର ଟଙ୍କାର ଚାଲାଣ  କଟାଯାଇଛି, ଯାହା ଓଡିଶାରେ ଏ ପର୍ଯ୍ୟନ୍ତର ସବୁଠୁ ବଡ ଚାଲାଣ। ବସ ମାଲିକଙ୍କୁ ଏହି ଚାଲାଣ ରୋଡ୍ ଟ୍ୟାକ୍ସ ପୈଠ ନକରିବା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଆଧାରରେ କଟାଯାଇଛି।

ବସରେ ୨୭ ଜଣ ଯାତ୍ରୀ ଥିଲେ। ବସଟି ବୌଦ୍ଧରୁ ଭୁବନେଶ୍ଵର ଯାତ୍ରା କରୁଥିଲା। ମାତ୍ର ଫେବୃଆରୀ ୩ରେ ବୌଦରେ ପରିବହନ ବିଭାଗର ଅଧିକାରୀ କାଗଜପତ୍ର ଯାଞ୍ଚ ପାଇଁ ବସଟିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିଲା।

ବୌଦ୍ଧର ଜଣେ ବରିଷ୍ଠ ପରିବହନ ଅଧିକାରୀ କହିଛନ୍ତି ଯେ, ବସର ମାଲିକ ଭୁବନେଶ୍ଵରର ବାସିନ୍ଦା। ତାଙ୍କର ନାମ ତଲତ ପରବିନ। ତାଙ୍କ ନାମରେ ୨୦୧୮ ମାର୍ଚ୍ଚ ୧ରୁ ସାଢେ ଛଅ ଲକ୍ଷ ଟଙ୍କାର ରୋଡ୍ ଟ୍ୟାକ୍ସ ବକେୟା ରହିଛି।

ଅଧିକାରୀ କହିଛନ୍ତି ମାଲିକଙ୍କ ନାମରେ ଫିଟନେସ୍ ସାର୍ଟିଫିକେଟର ଚାଲାଣ, ପରମିଟ୍  କଣ୍ଡିସନ, ଇନ୍ସ୍ୟୁରାନ୍ସ ଏବଂ ଆଇନ ଉଲ୍ଲଂଘନ  ଏସବୁକୁ ମିଶାଇ ମୋଟ୍ ୬ ଲକ୍ଷ ୭୨ ହଜାର ଟଙ୍କାର ଚାଲାଣ କଟାଯାଇଛି। ଚାଲାଣ ଜାରି କରାଯିବା ପରେ ପରିବହନ ବିଭାଗର ଅଧିକାରୀଙ୍କ ପକ୍ଷରୁ ବସକୁ  ଜବତ କରାଯାଇଛି।

ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ନାଗାଲାଣ୍ଡର ଏକ ଟ୍ରକ ଡ୍ରାଇଭରଙ୍କୁ ସମ୍ବଲପୁରେ ନୂତନ ମୋଟର ଯାନ ଆଇନ ଉଲ୍ଲଂଘନ  ଆଧାରରେ ୬ ଲକ୍ଷ ୫୩ ହଜାର ଟଙ୍କାର ଚାଲାଣ କଟାଯାଇଥିଲା। ସମ୍ବଲପୁର ଜିଲ୍ଲାରେ ଅନ୍ୟ ଏକ କେସରେ ଦୁଇ ଜଣ ନାବାଳକଙ୍କୁ ୩୦-୩୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା। ଉଭୟଙ୍କୁ ବିନା ଲାଇସେନ୍ସରେ ଗାଡି ଚାଳନା ପାଇଁ ୫ ହଜାର ଟଙ୍କା ଏବଂ ଜୁଭେନାଇଲ ଅଫେନ୍ସ ଆକ୍ଟ ଆଧାରରେ ୨୫ ହଜାର ଟଙ୍କାର ଚାଲାଣ କଟାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.