ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
17/09/2018 at 11:27 AM

ଭୁବନେଶ୍ବର ୧୭|୯: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତାକାଲି ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୧ ତାରିଖରୁ ଲଘୁଚାପ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅଭିମୁଖେ ଗତି କରିବ । ୨୨ ତାରିଖ ବେଳକୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ସେହିଭଳି ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସମୁଦ୍ର ପତ୍ତନର ୧.୫ କିଲୋମିଟର ଉର୍ଦ୍ଦ୍ବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ବାରଣ କରିଛି । ଏହାର ପ୍ରଭାବରେ ଆଜି ତାରିଖରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ସମେତ ନୟାଗଡ ଖୋର୍ଦ୍ଧା, ପୁରୀ, କଟକ, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ବର୍ଷା ହେବ। ସେହିଭଳି ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଉପକୂଳ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବାଲେଶ୍ବର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ଭୀଷଣ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।