ଘରୋଇ ହିଂସା ରୋକିବା ପାଇଁ ଆଉ ପାଦେ ଆଗେଇଲା ଓଡିଶା ପୋଲିସ, ହିଂସା ଉପରେ ନଜର ରଖିବ “ଫୋନ୍ ଅପ୍’’ ଯୋଜନା
18/04/2020 at 10:09 AM

କଟକ ୧୮।୦୪: କରୋନା ସ୍ଥିତି ନେଇ ସାରାଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏହି ଲକ୍ଡାଉନ୍ ସମୟରେ ଘରୋଇ ହିଂସା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । କିଛି ଅଞ୍ଚଳରେ ଏନେଇ ଅଭିଯୋଗ ମଧ୍ୟ ଆସିଲାଣି । ତେଣୁ ଘରୋଇ ହିଂସା ଉପରେ ନଜର ରଖିବା ଓ ଏ ସଂପର୍କରେ ତୁରନ୍ତ ସୂଚନା ପାଇବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ହିଂସାର ଶିକାର ହେଉଥିବା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ପକ୍ଷରୁ “ଫୋନ୍ ଅପ୍’ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ରାଜ୍ୟ ଅପରାଧ ନଥି ସଂସ୍ଥା ବା ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏସ୍ସିଆର୍ବି)ର ରାଜ୍ୟସ୍ତରୀୟ କଲ୍ ସେଣ୍ଟର ମାଧ୍ୟମରେ କାମ କରିବ ।
ସାରା ରାଜ୍ୟରେ ୨୪ ଦିନ ହେବ ଲକ୍ଡାଉନ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସବୁ ଲୋେକେ ଘରେ ରହୁଛନ୍ତି । ପରିବାର ସବୁ ସଦସ୍ୟ ଘରେ ରହିବାରୁ ବିଭିନ୍ନ ସ୍ଥାନରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଅଭିଯୋଗ ଆସିଲାଣି ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଡିଜି ମଧ୍ୟ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ବିଶେଷ କରି ଲକ୍ଡାଉନ୍ ସମୀକ୍ଷା ବେଳେ ଡିଜିପି ଘରୋଇ ହିଂସା ଉପରେ ନଜର ରଖିବାକୁ ମଧ୍ୟ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ସେହି କ୍ରମରେ ରାଜ୍ୟ ପୋଲିସ ଆଉ ପାଦେ ଆଗେଇଛି । ଏଭଳି ହିଂସାର ଶିକାର ହେଉଥିବା ମହିଳାଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ‘ଫୋନ୍ ଅପ୍’ ବୋଲି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଅପରାଧ ନଥି ସଂସ୍ଥା ବା ଏସ୍ସିଆର୍ବିର ରାଜ୍ୟସ୍ତରୀୟ କଲ୍ ସେଣ୍ଟରରେ କରାଯିବାକୁ ନିଷ୍ପତ୍ତି ହୋଇଛି । ଯଦି ଘରୋଇ ହିଂସା ନେଇ କୌଣସିଠାରୁ ଠୋସ୍ ସୂଚନା ମିଳେ ତାହେଲେ ଅବସ୍ଥା ଜାଣିବା ପାଇଁ ସରଜମିନ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ଅପରାଧ ନଥି ସଂସ୍ଥା ଏ ବାବଦରେ ସବୁ ଜିଲ୍ଲାର ଆଇଏସିଏଡବ୍ଲୁ ଡିଏସ୍ପି କିମ୍ୱା ଅତିରିକ୍ତ ଏସ୍ପିଙ୍କୁ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଛି ।