ପରୀ ହତ୍ୟା ଘଟଣାରେ ସ୍ପଷ୍ଟୀକରଣ ରଖିଲା ଓଡିଶା ପୋଲିସ, ତଦନ୍ତକୁ ଦିଗହରା କରିବାକୁ ଏପରି ଅଭିଯୋଗ, ଏସଆଇଟିକୁ ତା କାମ କରିବାକୁ ଦିଆଯାଉ
18/12/2020 at 8:29 PM

କଟକ ୧୮।୧୨: ପରୀ ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି ଓଡିଶା ପୋଲିସ। ଘଟଣାକୁ ନେଇ ଓଡିଶା ପୋଲିସ ଲିଖିତ ପ୍ରତିକ୍ରିୟା ଦେଇଛି। ତଦନ୍ତକାରୀ ଅଧିକାରୀଙ୍କ ଵିରୋଧରେ ହୋଇଥିଵା ଅଭିଯୋଗ ନେଇ ସ୍ପଷ୍ଟ କରିଛି ଓଡିଶା ପୋଲିସ। ତଦନ୍ତକୁ ଦିଗହରା କରିବା ପାଇଁ ଏପରି ଅଭିଯୋଗ କରାଯାଉଥିବା କୁହାଯାଇଛି। ତଦନ୍ତ ସଠିକ ଦିଗରେ ଆଗଉଛି ଏବଂ ଏସଆଇଟିକୁ ତାରି କାମ କରିବାକୁ ଦିଆଯାଉ ବୋଲି ଲିଖିତ ପ୍ରତିକ୍ରିୟାରେ ଓଡିଶା ପୋଲିସ ଉଲ୍ଲେଖ କରିଛି।
ସେଥିରେ ଲେଖା ହୋଇଛି ପରୀ ହତ୍ୟାର ଖିଅ କାଢିବାକୁ ଦଳ ପୂରା ଦମରେ କାମ କରୁଛନ୍ତି। ଅନେକ ଲୋକଙ୍କୁ ଜେରା କରାଯାଇଛି। ତଦନ୍ତରେ ଆଖି ଦୃଶିଆ ଅଗ୍ରଗତି ମଧ୍ୟ ହୋଇଛି। ତଦନ୍ତ ପ୍ରକ୍ରିୟାରେ ଏସଆଇଟିକୁ ପୂରା ଗାଁ ଲୋକ ସହଯୋଗ କରୁଛନ୍ତି। ଏଭଳି ପରିସ୍ଥିତିରେ ତଦନ୍ତକାରୀ ଅଧିକାରୀଙ୍କ ଵିରୋଧରେ ହୋଇଥିଵା ଅଭିଯୋଗ ସତ୍ୟ ଉନ୍ମୋଚନରେ ଵାଧକ ସାଜିପାରେ। ଜଣେ ବ୍ୟକ୍ତିଙ୍କ ଏପରି ଭିତ୍ତିହୀନ ଅଭିଯୋଗ ବା ଆକ୍ଷେପ ଟିମ୍କୁ ହତୋତ୍ସାହିତ କରିବ। ଏସ୍ ଆଇଟିକୁ ହତୋତ୍ସାହିତ କରିବା ପାଇଁ ଏପରି ଅଭିଯୋଗ ହୋଇପାରେ ବୋଲି ପ୍ରେସ୍ ରିଲିଜ୍ରେ କୁହାଯାଇଛି।

ଏହା ଦୁର୍ଭାଗ୍ୟଜନକ ଏବଂ ଅନୈତିକ ବୋଲି କହିଲା ଓଡିଶା ପୋଲିସ। ମାମଲାକୁ ହାଇକୋର୍ଟ ଅନୁଧ୍ୟାନ କରୁଛନ୍ତି। ଏସଆଇଟି ଅଗ୍ରଗତି ରିପୋର୍ଟ ଦେଉଛି। ଓଡିଶା ପୋଲିସ ନିରପେକ୍ଷ ଓ ତତ୍ପର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ପରୀକୁ ନ୍ୟାୟ ଦେବାକୁ ତଦନ୍ତର କୌଣସି ପୃଷ୍ଠା ଛଡାଯିବ ନାହିଁ। ପରୀକୁ ନ୍ୟାୟ ମିଳିବ। ଏସଆଇଟିକୁ କାମ କରିବାକୁ ଦିଆଯାଉ ବୋଲି ରିଲିଜ୍ରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସ୍ଆଇଟି ଟିମ୍ ନୟାଗଡରେ ପରୀ ହତ୍ୟାକାଣ୍ଡର ଛାନବିନ୍ରେ ଜୁଟିଛି। ଟିମ୍ରେ ଅରୁଣ ବୋଥ୍ରାଙ୍କ ସହ କ୍ରାଇମବ୍ରାଞ୍ଚ ଏସ୍ପି ଆର.କେ ଦୋରା, ଅତିରିକ୍ତ ଏସ୍ପି ଆର.ସି ଥାମ୍ବା ଏବଂ ଦୁଇ ଜଣ ଇନସ୍ପେକ୍ଟର ଅଛନ୍ତି ।