ଓଡିଶାରେ ବଢୁଛି କରୋନା ପରୀକ୍ଷଣ, ଦୈନିକ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ୧୨ଶହ ଟେଷ୍ଟିଂ

Published By : Prameya-News7 Bureau | August 18, 2020 IST

ଭୁବନେଶ୍ବର ୧୮।୮: ଓଡ଼ିଶାରେ କରୋନା ପରୀକ୍ଷା ବଢୁଛି । ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ସର୍ବାଧିକ ଟେଷ୍ଟ କରୁଛି ଓଡ଼ିଶା । ରବିବାର ଏବଂ ସୋମବାର ପରୀକ୍ଷା ହାର ଅନ୍ୟ ରାଜ୍ୟ ତୁଳନାରେ ଢେର୍‌ ଅଧିକ ।

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ତିନି ଦିନ ଭିତରେ ଦେଢ଼ ଲକ୍ଷ ନମୁନା ପରୀକ୍ଷା ହୋଇଛି। ଶନିବାର ୪୭ ହଜାର ୪୦୦, ରବିବାର ୫୨ ହଜାର ଏବଂ ସୋମବାର ୫୦ ହଜାର ୩୨୧ ଟେଷ୍ଟ ହୋଇଛି।

ଅର୍ଥାତ୍‌ ରବିବାର ପ୍ରତିି ଦଶ ଲକ୍ଷ ଜନସଂଖ୍ୟାରେ ୧୧୯୯ ଜଣଙ୍କର କୋଭିଡ୍‌ ପରୀକ୍ଷା ହୋଇଛି । ସୋମବାର ଏ ସଂଖ୍ୟା ୧୧୪୩ । କୌଣସି ରାଜ୍ୟ ଏତେ ନମୁନା ପରୀକ୍ଷା କରି ନାହାନ୍ତି ଗତ ଦୁଇ ଦିନରେ। ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ର, ତାମିଲନାଡ଼ୁ କି କର୍ଣ୍ଣାଟକ ବି ନୁହେଁ।

ଓଡ଼ିଶା ପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟ । ଦୁଇ ନମ୍ବରରେ ଥିବା ଆନ୍ଧ୍ରପ୍ରଦେଶ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୨୮୦ କମ୍‌ ନମୁନା ପରୀକ୍ଷା କରିଛି ରବିବାର ।ମୋଟ ଦୈନିକ ନମୁନା ପରୀକ୍ଷାରେ ବି ଓଡ଼ିଶା ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ତୁଳନାରେ ଢେର୍‌ ଅଧିକ ପରୀକ୍ଷା କରିଛି । ରବିବାର ଉତ୍ତରପ୍ରଦେଶ, ତାମିଲନାଡ଼ୁ ଓ ବିହାର ପରେ ଓଡ଼ିଶାରେ ସବୁଠାରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା । ସୋମବାର ବି ଓଡ଼ିଶାଠୁ କେବଳ ବିହାର, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁ ଅଧିକ ନମୁନା ପରୀକ୍ଷା କରିଛନ୍ତି ।

ଜନସଂଖ୍ୟା ତୁଳନାରେ ଓଡ଼ିଶାରେ ଏବେ ପରୀକ୍ଷା ହାର ବଢ଼ି ୨୧ ହଜାର ୯୫୯ରେ ପହଞ୍ଚିଛି । ୧୦ ଲକ୍ଷ ଜନସଂଖ୍ୟାରେ ଏତିକି ଜଣଙ୍କ କୋଭିଡ୍‌ ପରୀକ୍ଷା ହୋଇ ସାରିଲାଣି । ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ଏ ସଂଖ୍ୟା ୨୬ ହଜାର ।

ଖାଲି ପରୀକ୍ଷା ନୁହେଁ, ମୃତ୍ୟୁ ହାରରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି । ପ୍ରତି ୧୦୦ ଜଣରେ ୦.୭ ଲୋକଙ୍କ ମୃତ୍ୟୁ ହେଉଛି । ଅର୍ଥାତ ୧୦୦ ଜଣରେ ଜଣଙ୍କର ମଧ୍ୟ ମୃତ୍ୟୁ ହେଉନି । ଜାତୀୟ ସ୍ତରରେ ମୃତ୍ୟୁ ହାର ୧.୯୨% ରହିଛି । ଓଡ଼ିଶାରେ ସୁସ୍ଥ ହାର ୭୦.୩% ରହିଛି । ଜାତୀୟ ସ୍ତରରେ ଏହା କିନ୍ତୁ ୭୩.୦୫% ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.