ଭୁବନେଶ୍ବର ୨୨|୩: ଦିଲ୍ଲୀରେ ମହିଳା କଂଗ୍ରେସ ଆଶାୟୀଙ୍କ ଭିଡ। ୧ମ ପର୍ଯ୍ୟାୟ ରେ କେବଳ ଜଣେ ମାତ୍ର ମହିଳାଙ୍କୁ ଟିକେଟ ମିଳିବା ଏବଂ ମହିଳାଙ୍କୁ ଅଣଦେଖା କରିଥିବାରୁ ଦିଲ୍ଲୀରେ ମହିଳା ଆଶାୟୀ ପହଁଚୁଛନ୍ତି। ଟିକେଟ୍ ପାଇବା ପାଇଁ ଅନେକ ଯୋଗ୍ୟ ମହିଳା ଅଛନ୍ତି କିନ୍ତୁ କଂଗ୍ରେସର ଅଣଦେଖା ତାଙ୍କୁ ଦିଲ୍ଲୀ ଦରବାରକୁ ଆଣିଛି।
ସେପଟେ ଆଜି ସଧ୍ୟାରେ କଂଗ୍ରେସର ସିଇସି ବୈଠକ ବସିବ। ୨ୟ ୩ୟ ୪ର୍ଥ ପର୍ଯ୍ୟାୟର ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏହି ତାଲିକାରେ ମହିଳାଙ୍କୁ ଅଗ୍ରାଧିକାର ମିଳିପାରେ ବୋଲି ଆଶା ରଖିଛନ୍ତି ମହିଳା ଆଶାୟୀ। ସୂଚନାଯୋଗ୍ୟ ଯେ, କଂଗ୍ରେସର ପ୍ରଥମ ଓ ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାପରେ ମହିଳା କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିଲା । ଯଦି ଏହି ପର୍ଯ୍ୟାୟରେ ମହିଳା ପ୍ରାର୍ଥୀଙ୍କୁ ଅଣଦେଖା କରାଯାଏ ତାହେଲେ ରାହୁଲଙ୍କ ବାସଭବନ ଆଗରେ ଧାରଣା ଦିଆଯିବ ବୋଲି ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ଗଣମାଧ୍ୟମକୁ କହିଥିଲେ ।
ବିଜେଡି ଲୋକସଭା ସିଟ୍ ବଣ୍ଟନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ବୋଲି ନବୀନ ଘୋଷଣା କରିଛନ୍ତି । ସେହିଭଳି ବିଧାନସଭା ପାଇଁ ମଧ୍ୟ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଦଳ ଘୋଷଣା କରିଛି । ନିକଟରେ ରାହୁଲ ଗାନ୍ଧି ମଧ୍ୟ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ବାରୋପ କରିଥିଲେ । ପିସିସି ସଭାପତି କହିଥିଲେ ଚଳିତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।
କିନ୍ତୁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପ୍ରକାଶ କରିଥିବା ୫୪ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ମାତ୍ର ଜଣେ ମହିଳାଙ୍କ ନାଁ ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।