ସେପ୍ଟେମ୍ବରରେ ବସିପାରେ ବିଧାନସଭା, ପ୍ରେସ୍ ଗ୍ୟାଲେରିରେ ବସିବେ ବିଧାୟକ
17/07/2020 at 1:31 PM

ଭୁବନେଶ୍ୱର୧୭/୭: ଆସନ୍ତା ସେପ୍ଟେମ୍ବର ମାସରେ ବସିପାରେ ବିଧାନସଭାର ଅଧିବେଶନ । ଗୁରୁବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚରେ ବିଧାନସଭା ବସିଥିଲା । ନିୟମ ଅନୁସାରେ ୬ ମାସ ମଧ୍ୟରେ ପରବର୍ତ୍ତୀ ଅଧିବେଶନ ବସିବା କଥା । ତେଣୁ ସେପଟେମ୍ବରରେ ଅଧିବେଶନ ଡାକିବାକୁ ବିଚାର ବିମର୍ଶ ଚାଲିଛି । କରୋନା ମହାମାରୀ ଯୋଗୁଁ କିଭଳି ଅଧିବେଶନ ବସିବ ତାହା ସବୁଠାରୁ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି।
ବାଚସ୍ପତିଙ୍କ ସୂଚନା ଅନୁସାରେ, ପାର୍ଲାମେଣ୍ଟର ଅଧିବେଶନ ଉପରେ ଆମେ ନଜର ରଖିଛୁ । ଲୋକସଭା ବାଚସ୍ପତିଙ୍କ ସହ ମଧ୍ୟ ଆମେ ଯୋଗାଯୋଗରେ ରହିଛୁ । ଯଦି ବିଧାନସଭା ଅଧିବେଶନ ବସିବ ତେବେ ସାମାଜିକ ଦୂରତା ନିୟମ କଟକଣା ନିଶ୍ଚୟ ପାଳନ ହେବ । ବିଧାୟକଙ୍କ ମଧ୍ୟରେ ୧୦ ମିଟର ଦୂରତା ନିଶ୍ଚୟ ରହିବ । ଏଥିପାଇଁ ଆମେ ପ୍ରେସ୍ ଗ୍ୟାଲେରୀ ସହ ଦର୍ଶକ ଗ୍ୟାଲେରୀରେ ମଧ୍ୟ ବିଧାୟକଙ୍କୁ ଆସନ ଦେବୁ । ଅଧିବେଶନ ସମୟରେ ସାଧାରଣ ଲୋକ କିମ୍ବା ଗଣମାଧ୍ୟମ ପ୍ରତିନିଧି କାହାକୁ ପ୍ରବେଶ ଅନୁମତି ମିଳିବ ନାହିଁ । ବିଧାନସଭା ଅଧିବେଶନ ବିବରଣୀ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଯୋଗାଇ ଦିଆଯିବ । ତେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସହ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି ।
ଏପଟେ ଗତ ୨ରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିବା ବିଧାୟକ ଓ ଅଫିସରଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ଏ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର । ଏ ବୈଠକରେ ଉପସ୍ଥିତ ଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ସଂକ୍ରମିତ ହୋଇଥିଲେ । ତେଣୁ ବୈଠକରେ ଉପସ୍ଥିତ ବିଧାୟକ ଓ ଅଫିସରଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ।