ଆମ ମନ୍ତ୍ରୀ- ନେତାଙ୍କ ରୋଷେଇ ଜ୍ଞାନ: କାହାକୁ ଜଣା, କିଏ ଅଜଣା, ସୁର ଦେଲେ ଅଧିକ ଜ୍ଞାନ

Published By : Prameya-News7 Bureau | January 04, 2020 IST

ଭୁବନେଶ୍ୱର ୪/୧- ମନ୍ତ୍ରୀ- ନେତାଏ ଜାଣନ୍ତି କି ରୋଷେଇ ? କିଏ ଜାଣନ୍ତି , କ’ଣ ଜାଣନ୍ତି ତାହା ବି ପ୍ରଶ୍ନ । କାରଣ ପୁଅଙ୍କ ରୋଷେଇ ଜ୍ଞାନ ପ୍ରସଙ୍ଗ ଏବେ ଚର୍ଚ୍ଚାରେ । ପୋଲିସ କମିଶନରଙ୍କ କଥାକୁ ନେଇ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେଲିନ ମହାନ୍ତି ମନ୍ତବ୍ୟ ରଖିବା ପରେ ଏହା ଦାନା ବାନ୍ଧିଛି । ଏମିତି ଆଲୋଚନାରେ ମନ୍ତ୍ରୀ- ନେତାଙ୍କ ରୋଷେଇ ଜ୍ଞାନ ନେଇ ବି ଆମ ମନରେ ପ୍ରଶ୍ନ ଉଠିଲା । ସାଧାରଣ ଲୋକଟିଏ ମନରେ ଏହା ସ୍ୱାଭିବିକ ମଧ୍ୟ । ଏହିକ୍ରମରେ ଆମେ କିଛି ରାଜନେତାଙ୍କୁ ପଚାରିଥିଲୁ । ଆସନ୍ତୁ  ଜାଣନ୍ତୁ କେଉଁ ମନ୍ତ୍ରୀ ଓ ନେତାଙ୍କୁ ଜଣା କି କି ରୋଷେଇ । ସେମାନଙ୍କୁ ସେମାନଙ୍କ ବିବାହ ଆଗରୁ ଜଣା ଥିଲା କି ଏ କାମ ?

  ଯେଉଁ ପୁଅ ରୋଷେଇ ଜାଣନ୍ତିନି ତାଙ୍କୁ ବାହା ହୁଅନି । ମହିଳା ଏସପିଓ ନିଯୁକ୍ତି ଉତ୍ସବରେ ପୋଲିସ କମିଶନରଙ୍କ ଏପରି ମତକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପତ ଆରମ୍ଭ ହୋଇଛି ତାହା ସହ କେଉଁ ନେତା ଓ ମନ୍ତ୍ରୀ କେମିତି ଏବଂ  କ’ଣ କ’ଣ ରୋଷେଇ ଜାଣିଛନ୍ତି, ସେନେଇ ନିଜ ନିଜ ମତ ରଖିଛନ୍ତି ।

ନବ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ : ସ୍ୱାସ୍ଥ୍ୟମନ୍ତ୍ରୀ  ନବ ଦାସ ବାହାହେବା ଆଗରୁ , ଅର୍ଥାତ ବ୍ୟାଚଲର ବେଳୁ କିଛି କିଛି ରୋଷେଇ ଜଣିଛନ୍ତି ବୋଲି କହିଛନ୍ତି । ଅଣ୍ଡା ଆମଲେଟ  ସାଙ୍ଗକୁ ଭାତ ଓ ଡାଲମା ତାଙ୍କୁ ଜଣା ।

ସମ୍ବିତ ରାଉତରାୟ : ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ରୋଷେଇ ଜଣା ।ଏମିତି କୁହନ୍ତି ସେ । ଚିକେନ ମସଲା ଭଲଭାବେ ତିଆରି କରିପାରନ୍ତି । ହେଲେ ତାହା ଲୁଣିଆ କି ଅଲଣା ହେବେ ସେ ଗ୍ୟାରେଣ୍ଟି କିନ୍ତୁ ସେ ଦେଇପାରିବେନି । ଖାଇବାଲୋକ ଓ ରୋଷେଇ କରିବା ଲୋକ ମିଳିମିଶି ଚଳାଇଦେଲେ ହେବ ।ଲୁଣ ଠିକ୍ ନହେଲେ ସ୍ୱାଦ କେମିତି ହେବ, ବୋଲି ଆମ ମନରେ ପ୍ରଶ୍ନ । ସେ ଯାହା ହେଉ  ସମ୍ବିତ ବାବୁଙ୍କୁ ବାହାଘର ଆଗରୁ ରୋଷେଇ ଜଣା ନଥିଲା , କିନ୍ତୁ ତାଙ୍କୁ ଝିଅ ମିଳିଗଲା ବୋଲି ସେ କହିଛନ୍ତି ।ତାଙ୍କର ଏପରି ମଜାଳିଆ  କଥାରେ, ଏବେର ସମସ୍ୟା ସେବେ ନଥିଲା ବୋଲି ଆଶ୍ୱସ୍ତି ବି ଥିଲା ମଜାଦାର ।

ସଞ୍ଜିବ ମଲ୍ଲୀକ,: ବିଧାୟକ ସଞ୍ଜିବ ମଳ୍ଲୀକ କହିଛନ୍ତି ଅଣ୍ଡା ଆମେଲଟ ଛଡା ସେ ଆଉ କିଛି ରୋଷେଇ ଜାଣି ନାହାନ୍ତି । ସେ ରୋଷେଇ କରନ୍ତିନି , କିନ୍ତୁ ବେଳେ ବେଳେ କଣ କେମିତି କରିଦିଅନ୍ତି । ସମସ୍ତେ ରୋଷେଇ ଜାଣିବା ଦରକାର ନୁହେଁ କିନ୍ତି ମିଳିମିଶି କଲେ ଭଲ ବୋଲି କହିଛନ୍ତି ସେ।

 ସୁର ରାଉତ ରାୟ , ବିଧାୟକ :  କହିବାର ଠାଣି  ପାଇଁ  ସବୁବେଳେ ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ରୋଷେଇ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସମସ୍ତଙ୍କୁ ଟପିଯାଇଛନ୍ତି । ପୁରୁଷ ରୋଷେଇ କରିବା କଥାକୁ ବାଏଁ ବାଏଁ ଉଡାଇ କହିଛନ୍ତି, ପୁରୁଷ ପିଲା କ’ଣ ରୋଷେଇ କରିବ ? ତାହା ତାଙ୍କୁ ଜଣା ନାହିଁ । ହେଲେ ସେ ବାହା ହୋଇଛନ୍ତି ।ପୁରୁଷ ପିଲା ରୋଷେଇ ଜାଣିବା ଦରକାର ନାହିଁ । ମହିଳା ମାନେ ରୋଷେଇ କାମ ଏବଂ  ପିଲାଙ୍କ ଲାଳନ ପାଳନ କାମଟି ଭଲଭାବେ କରିପାରିବେ । ପୁରୁଷ ପିଲା ରୋଜଗାର କରିବେ । ବଜାରରୁ ସଉଦା ଆଣିଦେବେ । ଆଉ ପାଦେ ଆଗେଇ ସୁର ରାଉତରାୟ କହିପକାଇଛନ୍ତି, ଯେତେ ଆଇଏସ କି ଆପିପିଏସ ହେଲେ ବି ମହିଳା ଭଲ ରୋଷେଇ କରିପାରିବେ ତାହା ତାଙ୍କ କାମ । ତେବେ ବିଦେଶ ପରି ଉଭୟ ମିଶିକି କଲେ କ୍ଷତି ନାହିଁ ବୋଲି ମଧ୍ୟ ସୁର ରାଉତରାୟ କହିଛନ୍ତି । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ସବୁ ନେତା...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.