ଦାଦନ ଦୁଃଖ ! ପାରିଶ୍ରମିକ ମାଗିବାରୁ ବନ୍ଧୁକ ଦେଖାଇ ମାଡ ମାରି ଦଲାଲ ଫେରାର

Published By : Prameya-News7 Bureau | July 01, 2018 IST

ଉଚିତ ପାରିଶ୍ରମିକର ଲାଲଚ ଦେଖାଇ ଦାଦନ ଶ୍ରମିକଙ୍କୁ୬ ଲକ୍ଷରୁ ଉର୍ଧ ଟଙ୍କାର ଚୁନା ଲଗାଇ ଦଲାଲ ଫେରାର । ଏପରିକି ପାରିଶ୍ରମିକ ମାଗିବାରୁ ଶ୍ରମିକମାନଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ଗାଁର ୧୭ ଜଣ ଦାଦନ ଶ୍ରମିକ । ଏବେ କୌଣସି ଉପାୟ ନପାଇ ନ୍ୟାୟ ଦାବୀରେ ପିଡିତ ଦାଦନ ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସୁନାପାଲି ଗାଁର ୬ ଟି ପରିବାରର ୧୭ ଜଣ ଦାଦନ ଶ୍ରମିକଙ୍କୁ ବଲାଙ୍ଗିର ଜିଲ୍ଲା ଆମ୍ବବାହାଲି ଗ୍ରାମର ସନ୍ତୋଷ ଦୀପ ଓ କଂଟାବାରି ଅପ୍ପୁ ଖାନ ନାମକ ଦୁଇ ଜଣ ଦଲାଲ ଇଟା ଗଢିବା ପାଇଁ ସୁଦୂର ହାଇଦ୍ରାବାଦର ସିକନ୍ଦରାବାଦ ନିକଟ ବନଗିରୀକୁ ନେଇଥିଲେ । ଶ୍ରମିକମାନଙ୍କୁ ମୁଣ୍ଡ ପିଛା ୨୫ ହଜାର ଟଙ୍କା ଦେବାର ପ୍ରତିଶୃତି ଦିଆଗଲା । ଏପରିକି ଦଲାଲମାନେ ପରିବାର ପିଛା ୬ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇ ଏମାନଙ୍କୁ ନେଇଥିଲେ । ସେଠାରେ ପ୍ରାୟ ୯ ମାସ ଇଟା ଭାଟିରେ କାମ କରିବା ପରେ ଶ୍ରମିକମାନେ ପାରିଶ୍ରମିକ ବାବଦକୁ ହେଉଥିବା ୬ ଲକ୍ଷ ୫୦ ହଜାର ଟଙ୍କା ମାଗିଥିଲେ । ହେଲେ ଟଙ୍କା ବଦଳରେ ସଂପୃକ୍ତ ଦଲାଲମାନେ ଶ୍ରମିକମାନଙ୍କୁ ପିସ୍ତଲ ଦେଖାଇ ଗୋଇଠାମାଡ ମାରିଥିବା ଅଭିଯୋଗ ହୋଇଛି । ଶେଷରେ ଦଲାଲଙ୍କ ଠାରୁ ଲହୁଲୁହାଣ ହୋଇ ପିଡିତ ଶ୍ରମିକ ମାନେ ନ୍ୟାୟ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ତବେ ସୁନାପାଲିର ଏହି ଦାଦନ ଶ୍ରମିକଙ୍କ ଅଭିଯୋଗକୁ ନେଇ ଅପ୍ପୁ ଖାନ ଓ ସନ୍ତୋଷ ଦୀପ ନାମକ ଦଲାଲଙ୍କ ବିରୋଧରେ ଶୀଘ୍ର କାର୍ଯୟାନୁଷ୍ଠାନ ଗ୍ରହଣ କରାଯାଇ ଶ୍ରମିକଙ୍କ ଉଚିତ ପାଉଣା ଫେରାଇବାରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.