Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନିଶ୍ଚିତ ଆଶଙ୍କାରେ ବିବ୍ରତ ଯାତ୍ରା କଳାକାର, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

26/05/2020 at 9:06 AM

ଭୁବନେଶ୍ୱର ୨୬।୦୫: ଲକ୍‌ଡାଉନ୍‌ ଯାତ୍ରାରେ ତାଲା ପକାଇ ଦେଇଛି । ଘରେ ବସି ନାହିଁ ନଥିବା ହିନସ୍ଥା ହେଉଛନ୍ତି ଯାତ୍ରା କଳାକାର । ସରକାର ସମସ୍ତଙ୍କ ପାଇଁ ସବୁକିଛି କରୁଥିଲା ବେଳେ ଯାତ୍ରାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ନବୀନ ନିବାସ ଯାଇଥିଲେ ଯାତ୍ରା କଳାକାର । ଏହି ଅବସରରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଊଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯାତ୍ରା କଥା ବିଚାର କରି ସହାୟତା ପ୍ରଦାନ କରିବାକୁ କଳାକାରମାନେ ନିବେଦନ କରିଛନ୍ତି । ପରେ କଳାକାରମାନେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ବିଷ୍ଣୁ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ମଙ୍ଗଳବାର ଦିନ ଏହି ବିଷୟରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସାଂସଦ ସୁଜିତ କୁମାରଙ୍କ ସହିତ ଆଲୋଚନା ହେବ ବୋଲି ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ସମ୍ପାଦକ ଶ୍ରୀ ନାୟକ କହିଛନ୍ତି, ବର୍ଷ ସାରା ରାଜ୍ୟର କୋଣ ଅନୁକୋଣରେ ଯାତ୍ରା ପରିବେଷଣ କରି ଲୋକମାନଙ୍କୁ ମନୋରଞ୍ଜନ କରି ଆସିଛୁ । ବର୍ତ୍ତମାନ କରୋନା କଟକଣା ଯୋଗୁ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ କଲେ । ଫଳରେ ପ୍ରଯୋଜକ ଓ ପରିଚାଳକମାନେ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯେଉଁଥିପାଇଁ ସେମାନେ କଳାକାରଙ୍କୁ ବେତନ ଦେବାକୁ ସକ୍ଷମ ନାହାନ୍ତି । ଏଣୁ ୬୫ଟି ଯାତ୍ରା ପାର୍ଟିର ସମସ୍ତ କଳାକାର ଓ କର୍ମଚାରୀ ଓ ପାଖାପାଖି ୧୦ହଜାର ପରିବାରର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି । ଫଳରେ ସମସ୍ତେ ଭୋକ ଓପାସରେ କାଳ କାଟୁଛନ୍ତି । କଳାକାର, ଟେକ୍ନିସିଆନମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇନଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବର୍ତ୍ତମାନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶାରେ ୧୦ହଜାର କଳାକାର ଓ କର୍ମଚାରୀ ଅଛନ୍ତି । ସରକାର ସେମାନଙ୍କୁ ସହାୟତା ଦିଅନ୍ତୁ, ଯେବେଠାରୁ କ୍ରୀଡ଼ା, ସଭା ଓ ଅଧିକ ଲୋକ ଯୋଗ ଦେଉଥିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ଅନୁମତି ଦିଆଯିବ ସେବେଠାରୁ ଯାତ୍ରା ପରିବେଷଣ ଲାଗି ଅନୁମତି ଦିଆଯାଉ । ଯାତ୍ରା ପ୍ରଯୋଜକମାନଙ୍କୁ ସବ୍‌ସିଡିରେ ଲୋନ୍‌ ପ୍ରଦାନ କରାଯାଉ । ଯାତ୍ରା କଳାକୁ ଲୋକକଳାର ମାନ୍ୟତା ଦିଆଯାଉ । ପୂର୍ବରୁ ସରକାରଙ୍କୁ ଦିଆଯାଇଥିବା ୧୨ଦଫା ଦାବି ମଧ୍ୟରୁ ୯ଟି ଦାବି ଉପରେ ସରକାର ଆଲୋଚନା କରିବା ନିମନ୍ତେ ପ୍ରସ୍ତୁତ ଥିଲେ । ସେଗୁଡ଼ିକର ଯଥାଶୀଘ୍ର ଆଲୋଚନା କରାଯାଇ ସମାଧାନ କରାଯାଉ ।

ଶ୍ରୀ ନାୟକ କହିଛନ୍ତି, ପୂର୍ବରୁ ଏନେଇ ମାର୍ଚ୍ଚ ୨୮ରେ ଏବଂ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଶା ଏଥର ସରକାର ବିଚାର କରି ଯାତ୍ରା ଓ କଳାକାରଙ୍କ ପାଇଁ କିଛି କରିବେ । ଆଜି ନବୀନ ନିବାସକୁ ଯାଇଥିବା ସଂଘର ପ୍ରତିନିଧି ଦଳରେ ସମ୍ପାଦକ ଶ୍ରୀ ନାୟକଙ୍କ ସହିତ ସଭାପତି ଦୈତାରୀ ପଣ୍ଡା, ସହସମ୍ପାଦକ ଗୌର ଦାସ, ସୁବାସ ବେହେରା, କୋଷାଧ୍ୟକ୍ଷ ହୃଷିକେଶ ମିଶ୍ର, କାର୍ଯ୍ୟକାରିଣୀ ସଭ୍ୟ ଦୟାନିଧି ଉପାଧ୍ୟାୟ ଉପସ୍ଥିତ ଥିଲେ।

   Related Posts