Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ତୃତୀୟ ସ୍ଥାନରେ ଓଡିଶା

26/08/2020 at 11:25 AM

ଭୁବନେଶ୍ୱର,୨୬।୮: ବଜେଟ୍‌ ସ୍ୱଚ୍ଛତାରେ ଓଡ଼ିଶା ଦେଶରେ ତୃତୀୟ । ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ଏହାର ବାର୍ଷିକ ସଂସ୍କରଣରେ ବଜେଟ୍‌ ପ୍ରକ୍ରିୟା ସ୍ୱଚ୍ଛତା ନେଇ ଓଡ଼ିଶାକୁ ଏଭଳି ମାନ୍ୟତା ଦେଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅର୍ଥ ସଚିବ ଅଶୋକ କୁମାର ମୀନା ଏହି ସୂଚନା ଦେଇଛନ୍ତି ।

ଶ୍ରୀ ମୀନା କହିଛନ୍ତି, ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ ମୁତାବକ, ବଜେଟ୍‌ ପ୍ରକ୍ରିୟା ସ୍ୱଚ୍ଛତାରେ ଆସାମ ୭୦ ସ୍କୋର ସହ ଶୀର୍ଷରେ ରହିଛି । ୬୭ ସ୍କୋର ସହ ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୬୬ ସ୍କୋର କରି ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଓଡ଼ିଶା ପଛକୁ ଝାଡ଼ଖଣ୍ଡ (୬୦) ଓ ବିହାର (୫୯) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ବଜେଟ୍‌ ପ୍ରସ୍ତୁତି, ବିତ୍ତୀୟ ପରିଚାଳନା, ଆର୍ଥିକ ନିୟାମକରେ ଅର୍ଥ ମନ୍ତ୍ରାଳୟ ସଫଳତା ପାଇଁ ବଧେଇ ଜଣେଇ ମୁଖ୍ୟ ସଚିବ କହିଛନ୍ତି, ପ୍ରାକ୍‌-କୋଭିଡ୍‌, କୋଭିଡ୍‌ ଓ କୋଭିଡ୍‌ ପରବର୍ତ୍ତୀ ପରିସ୍ଥିତିରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ସମେତ ରାଜ୍ୟ ଅର୍ଥନୀତିକୁ ଟ୍ରାକ୍‌ କରିବା ପାଇଁ ଏକ ‘କମ୍ପୋଜିଟ୍‌ ଇଣ୍ଡେକ୍ସ’ ପ୍ରସ୍ତୁତ କର । ଏହାଛଡ଼ା ବିଭିନ୍ନ ସରକାରୀ ବିଭାଗରେ ଖର୍ଚ୍ଚ ନ ହୋଇ ପଡ଼ିରହିଥିବା ପାଣ୍ଠିକୁ ସରେଣ୍ଡର କରି ଦେବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକ ମୁତାବକ, ଏକ୍ସଆଇଏମ୍‌ବିରେ ଥିବା ସେଣ୍ଟର ଫର୍‌ ଏକ୍ସିଲେନ୍ସ ଫର୍‌ ଫିସ୍କାଲ ପଲିସି ଆଣ୍ଡ ଟାକ୍ସେସନ୍‌ (ସିଇଏଫ୍‌ଟି)ଠାରୁ ଟେକ୍ନିକାଲ ସହାୟତା ପ୍ରସ୍ତାବିତ କମ୍ପୋଜିଟ୍‌ ଇଣ୍ଡେକ୍ସର ବିଭିନ୍ନ ସୂଚକାଙ୍କ ପ୍ରସ୍ତୁତ କରାଯାଉଛି । ଏହି ସୂଚକାଙ୍କରେ କୃଷି, ମତ୍ସ୍ୟ, ପଶୁସମ୍ପଦ, ଖଣି ଖନନ, ଜିଏସ୍‌ଟି, ମୋଟର ଯାନ ଟିକସ, ବିଦ୍ୟୁତ୍‌ ଉପଯୋଗ, ଅଣ-ଜିଏସ୍‌ଟି ସାମଗ୍ରୀରେ ଭାଟ୍‌, ଅବକାରୀ ଶୁଳ୍କ, ମୋଟ ମାନବ ଦିବସ ସୃଷ୍ଟି, ବ୍ୟାଙ୍କ ଋଣ, ବେକାରୀ ହାର, ରାଜସ୍ୱ ସ୍ଥିତି, ବିତ୍ତୀୟ ନିଅଣ୍ଟ ଆଦିକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଉଛି । ମାସିକ ଓ ତ୍ରୟମାସିକ ଭିତ୍ତିରେ ଏହି କମ୍ପୋଜିଟ୍‌ ଇଣ୍ଡେକ୍ସ ପ୍ରକାଶ କରିବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଅର୍ଥ ସଚିବ ରୂପ ନାରାୟଣ ଦାସ, ସତ୍ୟପ୍ରିୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts