କେନ୍ଦ୍ର ବଜେଟରେ ଓଡିଶାକୁ ଅଣଦେଖା : ‘ଆଇକନିକ୍ ସାଇଟ୍’ ତାଲିକାରୁ ଓଡିଶା ବାଦ
8/07/2019 at 11:13 AM

ନୂଆଦିଲ୍ଲୀ ୮/୭: କେନ୍ଦ୍ର ବଜେଟରେ ଓଡିଶାକୁ ସଂପୂର୍ଣ୍ଣ ଅଣଦେଖା । ଅନେକ ଗୁରୁତ୍ବପୂର୍ଣ୍ଣ ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀ ପାଇଁ ଓଡିଶାକୁ ଖ୍ୟାତି ମିଳିଛି, ହେଲେ ଏଭିତରୁ କୌଣସି ଗୋଟିକର ବିକାଶ ନେଇ ଯେମିତି କେନ୍ଦ୍ର ସରକାରଙ୍କ କୌଣସି ଚିନ୍ତା ନାହିଁ । ଦେଶର ୧୧ଟି ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳୀକୁ ଆଇକନିକ୍ ସାଇଟ୍ ଭାବରେ ଚିହ୍ନଟ କରି ଏହାର ବିକାଶ ଲାଗି କେନ୍ଦ୍ର ବଜେଟ୍ ରେ ଘୋଷଣା କରାଯାଇଛି ।
କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଓଡିଶାର କୌଣସି ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ବଜେଟ୍ ରେ ସ୍ଥାନ ପାଇନି । ଏହି ତାଲିକାରେ ତାଜମହଲ, ଫତେପୁରସିକ୍ରି, ଅଜନ୍ତା-ଏଲୋରା, ହୁମାୟୁନ୍ ଟମ୍ବ, ଲାଲକିଲ୍ଲା ଏବଂ କୁତବମିନାର ସ୍ଥାନ ପାଇଛି । ଏପରିକି ଗୋଆ ବିଚ୍, ରାଜସ୍ଥାନର ଆମେର କିଲ୍ଲା, ଗୁଜରାଟର ସୋମନାଥ ମନ୍ଦିର, ମଧ୍ୟପ୍ରଦେଶ)ର ଖଜୁରାହୋ, କର୍ଣ୍ଣାଟକରେ ହାମ୍ପି ଏବଂ ତାମିଲନାଡୁରେ ମହାବଳିପୁରମ୍, ଆସାମର କାଜିରଙ୍ଗା ଏବଂ ବିହାରର ମହାବୋଧୀ ସ୍ଥାନ ପାଇଛି ।
ହେଲେ ଓଡିଶାର ବିଶ୍ବ ଐତିହ୍ୟ କୋଣାର୍କ, ଏସିଆର ସବୁଠୁ ବଡ ଲୁଣା ହ୍ରଦ ଚିଲିକା, ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ କି ଲଳିତଗିରି, ଉଦୟଗିରି, ରତ୍ନଗିରି ଭଳି ବୌଦ୍ଧ କ୍ଷେତ୍ର ଆଇକନିକ୍ ସାଇଟ୍ ତାଲିକାରେ ସ୍ଥାନ ପାଇନି । କେନ୍ଦ୍ରର ଏହି ଅଣଦେଖା ନେଇ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେଉଁ ଆଧାରରେ ଆଇକନିକ୍ ସାଇଟ୍ ତାଲିକା ପ୍ରସ୍ତୁତ କରାଯାଇଛି ତା ଉପରେ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି ।