ଫୁଲ ତୋଳାରୁ ୪୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ ଘଟଣା : ରାଜ୍ୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

Published By : Prameya-News7 Bureau | August 25, 2020 IST

କାମାକ୍ଷାନଗର ୨୫।୮: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା  ଥାନା କନ୍ତିଓକାଟେଣୀ ଗ୍ରାମରେ ୪୦ଟି ଦଳିତ ପରିବାରକୁ ସାମାଜିକ ବାସନ୍ଦ ଘଟଣାରେ ଢେଙ୍କାନାଳ ଜିଲ୍ଲାପାଳ ଓ ଏସପିଙ୍କୁ ତଦନ୍ତ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଗତ ଅପ୍ରେଲ ମାସ  ୬ ତାରିଖରେ ଗ୍ରାମର କିଛି ଦଳିତ ଯୁବତୀ ଗ୍ରାମର ସବର୍ଣ୍ଣ ପରିବାରର ବାଡିରୁ ସୂର୍ଯ୍ୟମୁଖୀ ଫୁଲ ତୋଳିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଥାନାରେ ମାମଲା ଓ ପରେ ଥାନାରେ ସମାଧାନ ମଧ୍ୟ ହୋଇଥିଲା । ତାପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା ।

ଏ ନେଇ ଗ୍ରାମର ୪୦ଟି ପରିବାରକୁ ସବର୍ଣ୍ଣ ପରିବାର ଗ୍ରାମରୁ ସାମାଜିକ ବାସନ୍ଦ କରିବା ସହ ଗ୍ରାମରେ ଥିବା ସଉଦା ଦୋକାନରୁ ସଉଦା ନେବା, ପୂଜା, ପର୍ବ ପାଳନ ଉପରେ ବାରଣ କରାଯାଇଥିଲା । ଗ୍ରାମରେ ଥିବା ସବର୍ଣ୍ଣ ପରିବାରଙ୍କ ସହିତ କଥାବାର୍ତ୍ତାକୁ ମଧ୍ୟ ବନ୍ଦ କରାଯାଇଥିଲା । ଏପରିକି ପି ଡି ଏସ୍ ସାମଗ୍ରୀକୁ ବାରଣ ମଧ୍ୟ କରାଯାଇଥିଲା । ଏହାକୁ ନେଇ ଦଳିତ ପରିବାରଙ୍କ ତରଫରୁ ତୁମୁସିଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏ ସମ୍ପର୍କରେ ତୁମୁସିଙ୍ଗା ଥାନାଠାରେ ଗ୍ରାମର ଉଭୟ ପକ୍ଷକୁ ନେଇ ଢେଙ୍କାନାଳ ଏସପି, କାମାକ୍ଷାନଗର ଉପ ଜିଲ୍ଲାପାଳ, ଏସଡ଼ିପିଓ ପ୍ରମୁଖ ଉପସ୍ଥିତ ରହି ଗତ ୨୧ ତାରିଖ ଶୁକ୍ରବାର ଦିନ ଘଟଣାର ସମାଧାନ କରିଥିଲେ । ଏ ଘଟଣା ପ୍ରକାଶ ପାଇବା ପରେ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ । କିନ୍ତୁ ଏ ସମ୍ପର୍କରେ ସ୍ପଷ୍ଟ ତଦନ୍ତ ରିପୋର୍ଟ ଦେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଢେଙ୍କାନାଳ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୫.୦୯.୨୦୨୦ ରିଖରେ ପହଞ୍ଚି ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.