ମ୍ୟାନ୍ ହୋଲ୍‌ରେ ଫଶି ଶ୍ରମିକଙ୍କ ମୃତ୍ୟୁ ଘଟଣା : ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 19, 2021 IST

କଟକ ୧୯।୪: ସ୍ବରେଜ ଲାଇନରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣା ଉପରେ କି ପ୍ରକାର ପଦକ୍ଷେପ ନିଆଯାଇଛି, ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି କି ? ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ମୃତ ଶ୍ରମିକମାନେ ଅନୁସୂଚିତ ଜାତି କିମ୍ବା ଜନଜାତି ର କି ? ସେସବୁ ଉପରେ ବିସ୍ତୃତ ବିବରଣୀ ରଖିବା ଲାଗି ରାଜ୍ୟ ସରକାରଙ୍କୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ  ।

ଗତ ୧୯ ମାର୍ଚ୍ଚରେ ଭୁବନେଶ୍ବର ଏବଂ ୧୫ ଅପ୍ରେଲରେ କଟକରେ ଘଟିଥିଲା ଦୁଇଟି ଅଘଟଣ । ସ୍ବରେଜ ଲାଇନରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ୪ ଜଣ ଶ୍ରମିକ କାମ କରୁଥିଲେ ଏବଂ ସେମାନଙ୍କର ଅକାଳ  ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଆସନ୍ତା ତାରିଖ ପୂର୍ବରୁ  କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ, ସିଏମକି କମିଶନର ଘଟଣା ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୃତକଙ୍କ ପରିବାରକୁ ଭେଟିବା ଲାଗି ସୋମବାର ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ଗତ ୧୫ ତାରିଖ ଦିନ କଟକ ମର୍କତନଗର ସେକ୍ଟର ୧୦ ନିକଟରେ ଘଟିଥିଲା ଅଘଟଣ, ସ୍ବରେଜ୍ ଲାଇନରେ କାମ କରୁଥିବା ବେଳେ ୨ ଜଣ ଶ୍ରମିକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା । ଅନୁରୂପ ଭାବେ ମାର୍ଚ୍ଚ ମାସ ୧୯ ତାରିଖରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏକ ଅଘଟଣ  ଘଟିଥିଲା । ମେ’ ମାସ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.