କଟକ ୧୫|୧୧: ଦୀର୍ଘ ଅଢେଇ ମାସ ପରେ ହାଇକୋର୍ଟ କାର୍ଯ୍ୟ ସ୍ବାଭାବିକ ହୋଇଛି । ପୂର୍ବ ଭଳି କୋର୍ଟ ପରିସରରେ ଦେଖିବାକୁ ମିଳଛି ଓକିଲ ଓ ମହକିଲଙ୍କ ଗହଳି ଚହଳି । ଦୀର୍ଘ ଦିନ ଧରି ନ୍ୟାୟ ପାଇବାରୁ ବଞ୍ଚିତ ଥିବା ସାଧାରଣ ଲୋକଟି ଏବେ ନ୍ୟାୟ ପାଇଁ ଆଶା ବାନ୍ଧି ବସିଛି । କୋର୍ଟ ସ୍ବାଭାବିକ ହେବା ପରେ ବନ୍ଦ ପଡିଥିବା ସମସ୍ତ କାମକୁ ତ୍ବରିତ ଢଙ୍ଗରେ କିଭଳି କରାଯିବ ସେନେଇ ଆଇନଜୀବୀମାନେ ବି ତତ୍ପର ।
ନିଆଳି ଅଞ୍ଚଳର ଅନୀରୁଦ୍ଧ ମଲ୍ଲିକ । ନିଜ ପଞ୍ଚାୟତର ଏକ ମାମଲାକୁ ନେଇ ଦୀର୍ଘ ଅଢେଇ ମାସ ହେଲା କୋର୍ଟକୁ ଦୌଡୁଥିଲେ । କିନ୍ତୁ କୌଣସି କାମ ହୋଇପାରୁନଥିଲା । ହେଲେ କୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ କୋର୍ଟରେ ନିଜ ମାମଲା ଦାୟର କରିଛନ୍ତି । କେବଳ ଅନିରୁଦ୍ଧ ନୁହନ୍ତି କୋର୍ଟ ଖୋଲିବା ପରେ ସାଧାରଣ ଲୋକ ବେଶ ଖୁସି ହେବା ସହ ଆଶ୍ବସ୍ତି ଅନୁଭବ କରିଛନ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହିଭଳି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ ଏବେ ସଠିକ୍ ନ୍ୟାୟ ପାଇବେ ବୋଲି ଆଶା ବାନ୍ଧିଛନ୍ତି ।
୭୮ ଦିନ ପରେ ଖୋଲିଛି ହାଇକୋର୍ଟ । ଲାଗିଛି ଓକିଲ ମହିକିଲଙ୍କ ଗହଳି ଚହଳି । ସକାଳ ୧୦ଟାରେ କୋର୍ଟରେ ପହଞ୍ଚିଥିଲେ ଆଇନଜୀବୀ । ଦୀର୍ଘ ଅଢେଇ ମାସ ଧରି ପଡି ରହିଥିବା ମାମଲାକୁ ତ୍ବରିତ ଢଙ୍ଗରେ କିଭଳି ସୁପରିଚାଳନା କରାଯିବ ସେନେଇ ଆଇନଜୀବୀମାନେ ଚେଷ୍ଟା କରୁଥିବା କହିଛନ୍ତି ହାଇକୋର୍ଟ ବାର୍ ସମ୍ପାଦକ । ତେବେ ଏହି ଆନ୍ଦୋଳନ ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା କଥାକୁ ବି ସ୍ବୀକାର କରିଛନ୍ତି ଆଇନଜୀବୀ ।
ଗୁରୁବାର କୋର୍ଟ ଖୋଲିଥିଲେ ହେଁ ମଧ୍ୟାହ୍ନରେ ଫୁଲ୍ କୋର୍ଟ ବସି ଦିବଂଗତ ଆଇନଜୀବୀ ଓ ଜଷ୍ଟିସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ କୋର୍ଟକୁ ବନ୍ଦ କରିଦେଇଛନ୍ତି । ଶୁକ୍ରବାରଠୁ କୋର୍ଟ ପୂର୍ବଭଳି କାର୍ଯ୍ୟ କରିବ ।