ସଂକ୍ରମଣ ପ୍ରତିରୋଧ ଜୋନ୍‌ରେ ଘରକୁ ଘର ନିରୀକ୍ଷଣ ଅଭିଯାନ ଜାରି, ସଟ୍‌ଡାଉନ୍‌ ପରେ ସାମାଜିକ ଦୂରତା ବଜାୟ ରଖିବାକୁ ନିବେଦନ କଲେ ସରକାର

Published By : Prameya-News7 Bureau | April 05, 2020 IST

ଭୁବନେଶ୍ୱର ୦୫।୦୪: ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୬୯୯ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୨୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଆଜି ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଚିହ୍ନଟ ହୋଇଥିବା ୨ ଜଣ ପଜିଟିଭ୍‌ଙ୍କ ମଧ୍ୟରୁ କପିଳ ପ୍ରସାଦର ଜଣେ ୭୦ ବର୍ଷ ବୟସ୍କ ଓ ଅନ୍ୟ ଜଣଙ୍କ ବମିଖାଲ ଅଞ୍ଚଳର ୨୯ ବର୍ଷ ବୟସ୍କ ଯୁବକ ଅଟନ୍ତି । ପ୍ରଥମ ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୨ରେ ଅଷ୍ଟ୍ରେଲିଆରୁ ଫେରିଥିଲେ । ଅଷ୍ଟ୍ରେଲିଆରୁ ଫେରି ସେ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ଅନ୍ୟ ଜଣଙ୍କର ରାଜ୍ୟ ବାହାରକୁ ଗସ୍ତ ଇତିହାସ ରହିଛି । କୋଭିଡ୍‌-୧୯ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୬ ଜଣ, କଟକରୁ ଜଣେ, ପୁରୀରୁ ଜଣେ, କଳାହାଣ୍ଡିରୁ ଜଣେ ଓ ଯାଜପୁରରୁ ଜଣେ ଏବଂ ଭଦ୍ରକରୁ ୩ ଜଣ ଅନ୍ତର୍ଭୁକ୍ତ ।  ଆଜି ୭୫ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରୋଗ ନିରୀକ୍ଷଣ ଦଳ ସମସ୍ତ ସମ୍ଭାବ୍ୟ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ର ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ସଂକ୍ରମଣ ପ୍ରତିରୋଧ ଜୋନ୍‌ଗୁଡ଼ିକରେ ଘରକୁ ଘର ବୁଲି ନିରୀକ୍ଷଣ କାର୍ଯ୍ୟ ଚଳାଇଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ଅନୁସନ୍ଧାନ, ଚିହ୍ନଟ ଓ ପରୀକ୍ଷଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ରାଜ୍ୟ ବାହାରୁ ଏହି ସଂକ୍ରମଣ ଆସିଥିବା ଜଣାପଡ଼ିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।  ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁଯାୟୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୌର କର୍ତ୍ତୃପକ୍ଷ/ଜିଲ୍ଲା ପ୍ରଶାସନ ବିଭିନ୍ନ ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଜୋନ୍‌ ଘୋଷଣା କରିବେ ।  ‘ସଟ୍‌ ଡାଉନ୍‌’ ପରେ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ବଜାରରେ ଗହଳି ନକରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ସମସ୍ତଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରାଯାଇଛି ।   ଆଜି ରାତି ୯ଟାରୁ ୯ଟା ୯ ମିନିଟ୍‌ ପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଭାବରେ ଆଲୁଅ ଲିଭାଇବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଆମର ଗ୍ରିଡ୍‌ ବ୍ୟବସ୍ଥାକୁ ସ୍ଥିର ରଖିବା ପାଇଁ ଜନସାଧାରଣ ନିଜ ଘରେ ପଙ୍ଖା, ରେଫିଜରେଟର, ଟିଭି, ଏସି, କମ୍ପ୍ୟୁଟର ଓ ଲାପଟପ ଇତ୍ୟାଦିକୁ ସୁଇଚ୍‌ ଅନ୍‌ ଅବସ୍ଥାରେ ରଖିବା ପାଇଁ କୁହାଯାଇଛି । ସମସ୍ତ ବିଜୁଳି ବତୀ ଲିଭାଇବାର ଆବଶ୍ୟକତା ନାହିଁ । ହସ୍‌ପିଟାଲ୍‌, ପୋଲିସ୍‌, ପୌରସଂସ୍ଥା ଓ ଜନସେବା ସଂସ୍ଥାଗୁଡ଼ିକ ପରି ଅତ୍ୟାବଶ୍ୟକ ସେବାଗୁଡ଼ିକରେ ସୁଇଚ୍‌ ଅନ୍‌ ରହିବ । ରାସ୍ତା କଡ଼ ଆଲୁଅ ବ୍ୟବସ୍ଥା ଜାରି ରହିବ । ମେନ୍‌ ସୁଇଚ୍‌କୁ ସୁଇଚ୍‌ ଅନ୍‌ ଅବସ୍ଥାରେ ରଖିବାକୁ ହେବ ।

ଆଜି ରାଜ୍ୟର ୫୨୫୨ ଗ୍ରାମ ପଞ୍ଚାୟତରେ ୩,୨୬,୯୩୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୦୭ଟି ପୌରାଞ୍ଚଳରେ ୨୫,୨୦୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।  ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ୬୮୨୯ଟି ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି । ଏସବୁରେ ୧,୫୮,୮୨୯ ଶଯ୍ୟାର ବ୍ୟବସ୍ଥା ରହିଛି ।  ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୪ରୁ ଅପ୍ରେଲ ୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୦୩ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୮୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ ୧୫ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତ । ବିଭିନ୍ନ ଉଲ୍ଲଂଘନ ଅଭିଯୋଗରେ ୨୫୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.