କୋଭିଡ୍‌-୧୯ ମୁକାବିଲାରେ ବଡ ପଦକ୍ଷେପ : କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଆଶ୍ୱସ୍ତି, ଓଡ଼ିଶା ସରକାର କରାଇବେ ଦୁଇ ଲକ୍ଷ ରାପିଡ୍‌ ଟେଷ୍ଟ

Published By : Prameya-News7 Bureau | April 11, 2020 IST

ଭୁବନେଶ୍ୱର ୧୧।୦୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନମୁନା ପରୀକ୍ଷାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏ ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସ୍ୱଳ୍ପ ସମୟ ଭିତରେ ଅଧିକରୁ ଅଧିକ ଲୋକଙ୍କର ପରୀକ୍ଷା କରିବା ସହ ଲୋକଙ୍କ ମାନସିକ ଚିନ୍ତା କମାଇବା ପାଇଁ ସରକାର ଯୋଜନା କରିଛନ୍ତି । ଆଗକୁ ତ୍ୱରିତ ଓ ବ୍ୟାପକ ପରୀକ୍ଷା କରାଯିବ । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଘରେ କ୍ୟାରେଣ୍ଟାଇନରେ ରଖିବା ପରିବର୍ତ୍ତେ ରାପିଡ୍ ଟେଷ୍ଟ କରି ସେମାନଙ୍କୁ ଆରାମ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଦୁଇ ଲକ୍ଷ ରାପିଡ୍‌ ଟେଷ୍ଟ କରିବା ପାଇଁ ଯୋଜନା କରାଯାଉଛି । ଆଗାମୀଦିନରେ ଏହି ରାପିଡ୍‌ ପରୀକ୍ଷା (ଟେଷ୍ଟ) କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଡିଏମଇଟି ପ୍ରଫେସର ଡକ୍ଟର ସି.ବି.କେ ମହାନ୍ତି କହିଛନ୍ତି ଯେ, ରାପିଡ୍‌ ଟେଷ୍ଟ ବ୍ୟବସ୍ଥାକୁ ବ୍ୟାପକ ଭାବେ କାର୍ଯ୍ୟକ୍ଷମ କରାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ । ଦକ୍ଷିଣ କୋରିଆ ଏଭଳି ରାପିଡ୍‌ ଟେଷ୍ଟ କରିବା ଯୋଗୁ କରୋନାକୁ ନିୟନ୍ତ୍ରଣ କରିପାରିଛି । ଏହାଦ୍ୱାରା ଲୋକମାନେ ବେଶ୍‌ ଉପକୃତ ହେବେ । ଲକ୍‌ଡାଉନ୍‌ ପୂର୍ବରୁ ଲକ୍ଷାଧିକ ଲୋକେ ଓଡ଼ିଶାକୁ ଆସିଛନ୍ତି । ହେଲେ ଅନେକ ଜାଗାରେ ବାହାରୁ ଆସୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି । ସନ୍ଦେହରେ ସେମାନଙ୍କୁ ହସ୍ପିଟାଲ ଓ ବାହାରେ କ୍ୱାରେଣ୍ଟାଇନରେ ରହିବାକୁ ପଡୁଛି । ତେବେ ଏଥିପାଇଁ ରାପିଡ୍‌ ଟେଷ୍ଟ ଦ୍ୱାରା ଶୀଘ୍ର ମାନେ ଅଧଘଣ୍ଟାରେ ପରୀକ୍ଷା କରାଯିବ ଏବଂ ଏହାର ଫଳାଫଳ ଜଣାପଡ଼ିଯିବ । ଫଳରେ ଯେଉଁ ଲୋକ ନେଗେଟିଭ୍‌ ଥିବ, ସେ ନିଜ ଘରକୁ ଶୀଘ୍ର ଯାଇପାରିବ । ତାଙ୍କୁ ବାହାରେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନି । ଏହାଦ୍ୱାରା ଲୋକଙ୍କର ମାନସିକ ଚିନ୍ତା କମିବା ସହ ସରକାର କେବଳ ପଜିଟିଭ୍‌ ଆସିଥିବା ଆକ୍ରାନ୍ତଙ୍କୁ ଅଧିକ ଧ୍ୟାନ ଦେଇପାରିବେ । ଏପରିକି ଯେଉଁ ଲୋକଙ୍କର ଲକ୍ଷଣ ନଥିବ, ରାପିଡ୍‌ ଟେଷ୍ଟ ହେଲେ ସେମାନେ ମଧ୍ୟ କମ୍‌ ଖର୍ଚ୍ଚ ଓ କମ୍‌ ସମୟ ମଧ୍ୟରେ ଚିହ୍ନଟ ହୋଇପାରିବେ । ଏଥିପାଇଁ ରାଜ୍ୟ ସରକାର ୨ଲକ୍ଷ ରାପିଡ୍‌ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.