ଅଭିଜିତ ଆୟାରଙ୍କ ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର
5/12/2018 at 11:23 AM

ଭୁବନେଶ୍ୱର ୫/୧୨ : ଓଡିଶାର ସଂସ୍କୃତି, ପରମ୍ପରା ଏବଂ ଓଡ଼ିଆ ବିଧାୟକଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିଦେଇଛନ୍ତି | ଅଭିଜିତଙ୍କ ଉପରେ ଲାଗିଥିବା ସମସ୍ତ ଅପରାଧିକ ମାମଲା ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ଅଭିଜିତ ପ୍ରାୟ ୪୦ ଦିନ ହେବ ଜେଲରେ ଥିଲେ | ତେବେ ଜେଲରେ ଥିବାବେଳେ ସେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିନଥିଲେ | ଏତେ ଦିନ ଜେଲରେ ରହିବ ପରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଥିଲେ | ଅଭିଜିତଙ୍କ ଏହି କ୍ଷମା ପ୍ରାର୍ଥନାକୁ ନଜରରେ ରଖି ତାଙ୍କ ଉପରେ ଲାଗିଥିବା ସମସ୍ତ ଅପରାଧିକ ମାମଲାକୁ ପ୍ରତ୍ୟାହାର କରିବା ଲାଗି ଗୃହ ବିଭାଗ ନିଷ୍ପତ୍ତି ନେଇଥିବା ଗୃହ ବିଭାଗ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି |
ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭିଜିତ କୌଣସି ଉଦ୍ଦେଶ୍ୟ ରଖି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇନଥିବା ଅଭିଜିତ ନିଜେ ସ୍ୱୀକାର କରିଛନ୍ତି | ଭୁଲ ବଶତଃ ସେ ଏଭଳି କରିଦେଇଥିବା କହିଛନ୍ତି | ସେଥିପାଇଁ ସେ ବହୁତ ଦୁଃଖିତ ଏବଂ ପଶ୍ଚାତାପ ମଧ୍ୟ କରିଛନ୍ତି ବୋଲି କହିଛନ୍ତି | ଏନେଇ ସେ ରାଜ୍ୟ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ଏହି ଭୁଲକୁ କ୍ଷମା କରିଦିଅନ୍ତୁ |
ସୂଚନାଯୋଗ୍ୟ ଯେ, ଅଭିଜିତ ଗତ ଅକ୍ଟୋବର ୨୩ ତାରିଖରେ ଗିରଫ ହୋଇ ଭୁବନେଶ୍ୱର ଝାରପଡା ଜେଲରେ ଥିଲେ | ଅସୁସ୍ଥତା କାରଣରୁ ଡିସେମ୍ବର ୨ ତାରିଖରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି |