ଆଜି ଆସିବ କେନ୍ଦ୍ରୀୟ ବଜେଟ୍ ; ଅଧିକ ରେଳ ଅନୁଦାନ ପାଇଁ ଦାବି ରଖିଲା ଓଡ଼ିଶା
1/02/2019 at 8:24 AM

ଭୁବନେଶ୍ବର ୧|୨: ବଜେଟ୍ ରେ ଓଡ଼ିଶାକୁ କ’ଣ ମିଳିବ ? ଏହା ମଧ୍ୟବର୍ତ୍ତୀକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ଅନେକ ଆଶା ରଖିଛନ୍ତି ରାଜ୍ୟ ସରକାର । ଏହି ବଜେଟରେ ରାଜ୍ୟ ପାଇଁ ନିଜର ସ୍ବତନ୍ତ୍ର ଦାବି ରଖିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିକୁ କେନ୍ଦ୍ର, ଗ୍ରହଣ କରିନଥିବାରୁ ରାଜ୍ୟ ପାଇଁ ଅଧିକ ଅର୍ଥ ବରାଦ ନେଇ ସମ୍ଭାବନା ରହିଛି ।
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଭଳି ଓଡ଼ିଶାକୁ ୯୦:୧୦ ଅନୁପାତରେ ଅନୁଦାନ ଦେବାକୁ ଦାବି କରିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ସେହିପରି ରେଳୱେ ଓଡ଼ିଶାରୁ ଅଧିକ ରାଜସ୍ବ ପାଉଛି, ସେହି ଅନୁସାରେ ରାଜ୍ୟରେ ରେଳ ପ୍ରକଳ୍ପଗୁଡ଼ିକ ତ୍ବରାନ୍ବିତ କରିବା ନେଇ ଆଶା ରଖିଛନ୍ତି ରାଜ୍ୟ ସରକାର ।
ସେହିପରି କୃଷକଙ୍କ ଆୟକୁ ବଢ଼ାଇବା ଲାଗି ଯଥେଷ୍ଟ ଅର୍ଥ ବରାଦ ସହ କ୍ଲିନ୍ ଏନର୍ଜି ସେସ୍ ରୁ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବା ନେଇ ବ୍ୟବସ୍ଥା ହେବା ଦରକାର ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବିଜେପି ଫୋକସ୍ ରେ ଓଡ଼ିଶା ଥିବାରୁ ବେଜେଟରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ କିଛି ସ୍ବତନ୍ତ୍ର ଘୋଷଣା କରିବା ନେଇ କଳ୍ପନାଜଳ୍ପନା ଚାଲିଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଲୋଭନୀୟ ସ୍କିମ୍ ଆଣି ମାଷ୍ଟର ଷ୍ଟ୍ରୋକ୍ ଖେଳି ପାରନ୍ତି କେନ୍ଦ୍ର ସରକାର ।