Mines e-auction: ୪ ଦିନରେ ହେଲା ୪ଖଣି ନିଲାମ, ଜାଣନ୍ତୁ କାହାକୁ ମିଳିଛି କେଉଁ ମାଇନ୍
4/02/2020 at 10:24 PM

ଭୁବନେଶ୍ୱର ୪।୨: ରାଜ୍ୟରେ ସରକାର ୨୪ଟି ଲୁହା, ମାଙ୍ଗାନିଜ ଓ କ୍ରୋମାଇଟ୍ ଆଦି ଖଣି ନିଲାମ କରୁଛନ୍ତି। ଏହି ସବୁ ଖଣିଜର ରାଜ୍ୟରେ ୨୪ଟି ଖଣି ରହିଛି। ଯାହାର ଲିଜ୍ ମାର୍ଚ୍ଚ ମାସରେ ଶେଷ ହେଉଛି। ତେବେ ଲିଜ୍ ସରିବା ପୂର୍ବରୁ ସରକାର ଏ ସବୁର ଇ-ନିଲାମ ଶେଷ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ଗତ ୪ ଦିନରେ ୪ଟି ଖଣି ନିଲାମ ହୋଇଥିବା ଜଣାପଡିଛି। ଏଥିରେ ହାରାହାରି ବିକ୍ରି ମୂଲ୍ୟ ଠାରୁ ଅଧିକ ଦରରେ ଖଣି କମ୍ପାନୀମାନେ ନିଲାମ ନେଇଛନ୍ତି। ଇ-ଅକ୍ସନରେ ଜେଏସ୍ଡବ୍ଲୁ ଓ ଆର୍ସେଲର ମିତ୍ତଲ ଭଳି ଖଣିକମ୍ପାନୀମାନେ ସାମ୍ନାକୁ ଆସିଛନ୍ତି।

ଏଥିରେ କେନ୍ଦୁଝର ଜିଲ୍ଲାର ନୂଆଗାଁ, ନାରାୟଣ ପୋଷୀ, ବଳଦା ଓ ଠାକୁରାଣୀ ଭଳି ଶହଶହ କୋଟି ଟଙ୍କାର ଖଣି ନିଲାମ ହୋଇଛି। ନିଲାମରେ ୭୯୦ ନିୟୁତ ଟନର ନୂଆ ଗାଁ ଓ ୧୯୦ ନିୟୁତ ଟନ ନାରାୟଣ ପୋଷୀ ଲୁହା ଖଣିକୁ ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲୁ ନିଲାମ ନେଇଛି। ଏହା ଦ୍ୱାରା ପାରାଦ୍ୱୀପରେ ଜେଏସଡବ୍ଲୁର ପ୍ରସ୍ତାବିତ ୧୨ ନିୟୁତ ଟନ ଇସ୍ପାତ କାରଖାନାର ପରିକଳ୍ପନା ଏବେ ସଫଳ ହୋଇପାରିବ।

ତେବେ ନିଲାମର ସବୁଠାରୁ ବଡ କଥା ହେଉଛି ହାରାହାରି ବିକ୍ରୟ ମୂଲ୍ୟଠାରୁ ୧୮ ପ୍ରତିଶତ ଚଢା ଦର ସତ୍ତ୍ୱେ କମ୍ପାନୀମାନେ ନିଲାମ ନେବାକୁ କୁଣ୍ଠାବୋଧ କରିନାହାନ୍ତି। ଏହି କ୍ରମରେ ସିରାଜୁଦ୍ଦିନ କମ୍ପାନୀ କେନ୍ଦୁଝରର ବଳଦା ଲୁହାଖଣିକୁ ପୁଣି ଥରେ ହାତେଇ ଥିବା ବେଳେ ୧୮.୦୫ ପ୍ରତିଶତ ଅଧିକ ଦରରେ ନିଲାମ ନେଇଛି। ଆର୍ସେଲର ମିତ୍ତଲ କେନ୍ଦୁଝରର ଠାକୁରାଣୀ ଲୁହା ଖଣିକୁ ଇ-ଅକ୍ସନରେ ନେଇଛି। ପୂର୍ବରୁ ଖଣିମାଲିକମାନେ ବିକ୍ରିମୂଲ୍ୟର ୧୫ପ୍ରତିଶତ ରୟାଲ୍ଟି ଦେଉଥିଲେ। ତେବେ ଚଳିତବର୍ଷ ଡିଏମଏଫ ଓ ଅନ୍ୟାନ୍ୟ ଦେୟ ବାବଦରେ ୧.୮ ପ୍ରତିଶତ ଅର୍ଥାତ ୧୬.୮ ପ୍ରତିଶତ ଦେବାକୁ ପଡିବ। ତେବେ ନିଲାମରୁ ୨ ଗୁଣା ରାଜସ୍ୱ ଅସୁଲ ଲାଗି ରାଜ୍ୟ ସରକାର ଲକ୍ଷ ଧାର୍ଯ୍ୟ କରିଥିବା ଜଣାପଡିଛି।